ଓଡ଼ିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରୁ ୩ଟି ପ୍ରକଳ୍ପ ଓଡ଼ିଶା ସହ ସିଧାସଳଖ ଭାବେ ଜଡ଼ିତ।
ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ଖଡ଼ଗପୁର-ଭଦ୍ରକ ଚତୁର୍ଥ ଲାଇନ୍, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍ ଏବଂ କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍ ରହିଛି। ଏହା ବ୍ୟତୀତ ଗୁମ୍ମିଡିପୁଣ୍ଡି-ଗୁଡୁର ତୃତୀୟ ଓ ଚତୁର୍ଥ ଲାଇନ୍ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି।
ଓଡ଼ିଶାରେ ରେଳ ନେଟୱାର୍କ ହେବ ଆହୁରି ମଜବୁତ
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍ର ଲମ୍ବ ପ୍ରାୟ ୭୫ କିଲୋମିଟର। ସେହିପରି କଟକ-ପାରାଦୀପ ରୁଟ୍ରେ ପ୍ରାୟ ୭୨ କିଲୋମିଟର ଲମ୍ବର ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ହେବ। ଖଡ଼ଗପୁର-ଭଦ୍ରକ ରୁଟ୍ରେ ପ୍ରାୟ ୧୭୩ କିଲୋମିଟର ଚତୁର୍ଥ ଲାଇନ୍ ହେବ, ଯାହା ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଯୋଡ଼ିବ।ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ମୋଟାମୋଟି ୪୧୦ କିଲୋମିଟର ନୂଆ ରେଳ ଲାଇନ୍ ନେଟୱାର୍କରେ ଯୋଡ଼ିହେବ। ଚାରିଟି ରାଜ୍ୟର ଆଠଟି ଜିଲ୍ଲାର ଲୋକେ ଏଥିରୁ ଉପକୃତ ହେବେ।
ପର୍ଯ୍ୟଟନ ଓ ଯାତାୟାତକୁ ମିଳିବ ଗତି
ରେଳ ଲାଇନ୍ ସମ୍ପ୍ରସାରଣ ହେଲେ ଓଡ଼ିଶାର ଅନେକ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀକୁ ଯାତାୟାତ ସୁବିଧା ଆହୁରି ବଢ଼ିବ। କୁଳଡିହା, ଭିତରକନିକା, ଚାନ୍ଦିପୁର, ତାଳସରୀ-ଉଦୟପୁର, ପଞ୍ଚଲିଙ୍ଗେଶ୍ୱର ଓ ବିଭିନ୍ନ ମନ୍ଦିର ଏବଂ ଐତିହାସିକ ସ୍ଥଳୀକୁ ରେଳ ଯୋଗାଯୋଗରେ ଉନ୍ନତି ଆସିବାର ଆଶା ରହିଛି।ଏହା ସହିତ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରକୁ ମଧ୍ୟ ଏହି ରେଳ ପ୍ରକଳ୍ପଗୁଡ଼ିକରୁ ବଡ଼ ଲାଭ ମିଳିପାରେ। କୋଇଲା, ଲୁହାପଥର, ସିମେଣ୍ଟ, ଇସ୍ପାତ, କଣ୍ଟେନର, ଅଟୋମୋବାଇଲ ଓ କୃଷିଜାତ ସାମଗ୍ରୀର ପରିବହନ ଅଧିକ ସହଜ ହେବ।
ମାଲ ପରିବହନ କ୍ଷମତା ବଢ଼ିବ
କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ, ପ୍ରକଳ୍ପଗୁଡ଼ିକ ନିର୍ମାଣ ପରେ ରେଳପଥରେ ପ୍ରତିବର୍ଷ ପ୍ରାୟ ୭୬ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କରାଯାଇପାରିବ। ଏହା ଦ୍ୱାରା ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ କମିବା ସହ ଶିଳ୍ପ ଓ ବାଣିଜ୍ୟ କାର୍ଯ୍ୟକଳାପକୁ ଗତି ମିଳିବ।ରେଳ ପରିବହନ ବଢ଼ିବା ଫଳରେ ଇନ୍ଧନ ବ୍ୟବହାର ଓ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ବୋଲି କେନ୍ଦ୍ରର ଆକଳନ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଯାତ୍ରୀ ପରିବହନ, ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନକୁ ନୂଆ ଗତି ଦେବାର ଆଶା କରାଯାଉଛି।
