ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶୁକ୍ରବାର ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରିଛି। ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ ଏଆଇସିସି ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନ ନେବେ।
ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ।
ଦକ୍ଷ ସାଙ୍ଗଠନିକ ନେତା ଲାଲଜୀ ଦେଶାଇ
ଲାଲଜୀ ଦେଶାଇ କଂଗ୍ରେସର ଜଣେ ଅଭିଜ୍ଞ ସାଙ୍ଗଠନିକ ନେତା ଭାବେ ପରିଚିତ। ସେ ୨୦୧୮ ମସିହାରୁ ଅଖିଳ ଭାରତୀୟ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି। ଦଳର ସାଙ୍ଗଠନିକ ବିସ୍ତାର, କର୍ମୀ ପ୍ରଶିକ୍ଷଣ, ସଦସ୍ୟତା ଅଭିଯାନ ଓ ନିର୍ବାଚନୀ ପ୍ରସ୍ତୁତିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି)ର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ମଧ୍ୟ ଅଟନ୍ତି।
ଲଲ୍ଲୁଙ୍କ କାର୍ଯ୍ୟକାଳକୁ ପ୍ରଶଂସା
ଉତ୍ତର ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଅଜୟ କୁମାର ଲଲ୍ଲୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳରେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପୁନର୍ଗଠନ, ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିଯୁକ୍ତି ଏବଂ ‘ସଂଗଠନ ସୃଜନ ଅଭିଯାନ’ ମାଧ୍ୟମରେ ବୁଥ୍ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଆଇସିସି ପକ୍ଷରୁ ତାଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରାଯାଇଛି।
ଲାଲଜୀଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ
ଆଗାମୀ ୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା, ବୁଥ୍ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ରାଜ୍ୟ ନେତୃତ୍ୱ ସହ ସମନ୍ୱୟ ବୃଦ୍ଧି କରିବା ଲାଲଜୀ ଦେଶାଇଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ। ଦଳର ସାଙ୍ଗଠନିକ ଭିତ୍ତିକୁ ମଜଭୁତ କରିବା ଦିଗରେ ତାଙ୍କ ଭୂମିକା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
