Home Odishaଝାରସୁଗୁଡ଼ା ବିମାନବନ୍ଦରର ହେବ ବଡ଼ ସମ୍ପ୍ରସାରଣ, ୨୧୦୦ କୋଟି ଟଙ୍କାର ଯୋଜନା

ଝାରସୁଗୁଡ଼ା ବିମାନବନ୍ଦରର ହେବ ବଡ଼ ସମ୍ପ୍ରସାରଣ, ୨୧୦୦ କୋଟି ଟଙ୍କାର ଯୋଜନା

by Lokanath Panigrahi
0 comments

ପଶ୍ଚିମ ଓଡ଼ିଶାର ବିମାନ ଯୋଗାଯୋଗକୁ ଅଧିକ ମଜବୁତ କରିବା ଦିଗରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ବିମାନବନ୍ଦରର ଆଧୁନିକୀକରଣ, ରନ୍‌ୱେ ସମ୍ପ୍ରସାରଣ, ନୂଆ ଟର୍ମିନାଲ୍ ଏବଂ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ଉପଲବ୍ଧ କରାଇବା ନେଇ ଆଲୋଚନା ହୋଇଛି। ଏହି ବିକାଶ କାର୍ଯ୍ୟ ପାଇଁ ୨୧୦୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ବରଗଡ଼ ସାଂସଦ ତଥା ବିମାନବନ୍ଦର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି।

ବିମାନବନ୍ଦର ପରାମର୍ଶଦାତା କମିଟିର ବୈଠକରେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରାଯାଇଛି। ଝାରସୁଗୁଡ଼ାରୁ ଦିଲ୍ଲୀକୁ ଆଉ ଏକ ସକାଳୁଆ ବିମାନ ଚଳାଚଳ ଆରମ୍ଭ କରିବା ସହ ଚେନ୍ନାଇ, ଜୟପୁର ଓ ବିଶାଖାପାଟଣାକୁ ସିଧାସଳଖ ବିମାନ ସେବା ଯୋଗାଇବା ନେଇ ପ୍ରସ୍ତାବ ରହିଛି। ଏହାଦ୍ୱାରା ଯାତ୍ରୀଙ୍କ ଯାତାୟାତ ସୁବିଧା ବଢ଼ିବା ସହ ବ୍ୟବସାୟ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଲାଭ ମିଳିବା ଆଶା କରାଯାଉଛି।

ବିମାନବନ୍ଦରର ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକଳ୍ପ ମାଧ୍ୟମରେ ବିମାନବନ୍ଦରର କ୍ଷମତା ବୃଦ୍ଧି ସହ ଅଧିକ କ୍ଷମତାସମ୍ପନ୍ନ ବିମାନ ଚଳାଚଳ ପାଇଁ ଆବଶ୍ୟକ ଭିତ୍ତିଭୂମି ଗଢ଼ିବା ଉପରେ ଗୁରୁତ୍ୱ ରହିଛି। ଯାତ୍ରୀ ସଂଖ୍ୟାରେ ୪୧.୨ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ମଧ୍ୟ ସୂଚନା ମିଳିଛି।

ଯାତ୍ରୀଙ୍କ ଅନୁଭୂତିକୁ ଅଧିକ ସୁବିଧାଜନକ କରିବା ପାଇଁ ବିମାନବନ୍ଦର ପରିସରରେ ଏଟିଏମ୍, ରେଷ୍ଟୁରାଣ୍ଟ ଓ ଖାଦ୍ୟ ଷ୍ଟଲ୍ ଖୋଲିବା ନେଇ ଆଲୋଚନା ହୋଇଛି। ଏଥିସହ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଐତିହାସିକ ସ୍ଥାନଗୁଡ଼ିକ ବିଷୟରେ ଯାତ୍ରୀଙ୍କୁ ତଥ୍ୟ ଯୋଗାଇବା ପାଇଁ ଏକ ପର୍ଯ୍ୟଟନ ସୂଚନା କେନ୍ଦ୍ର ସ୍ଥାପନ କରିବାର ଯୋଜନା ରହିଛି। ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ଏବଂ ଆଗାମୀ ଦିନରେ ଅଧିକ ଜମି ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେବା ଉପରେ ମଧ୍ୟ ଆଲୋଚନା ହୋଇଛି।

ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରସ୍ତାବିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଲେ ଝାରସୁଗୁଡ଼ା ବିମାନବନ୍ଦର ପଶ୍ଚିମ ଓଡ଼ିଶାର ଯାତାୟାତ, ଶିଳ୍ପ ଓ ପର୍ଯ୍ୟଟନ ବିକାଶରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ।

You may also like

Leave a Comment