Home Nationalଡାକସେବାରେ ଡିଜିଟାଲ୍ ବିପ୍ଳବ: ଲଞ୍ଚ ହେଲା ଅପଗ୍ରେଡ୍ ‘ଡାକ୍ ମିତ୍ର’ ଓ ‘ଡାକ୍ ସେବା’ ଆପ୍‌, ନୂଆ ରୂପ ପାଇଲା ୧୪ ପୋଷ୍ଟ ଅଫିସ୍‌

ଡାକସେବାରେ ଡିଜିଟାଲ୍ ବିପ୍ଳବ: ଲଞ୍ଚ ହେଲା ଅପଗ୍ରେଡ୍ ‘ଡାକ୍ ମିତ୍ର’ ଓ ‘ଡାକ୍ ସେବା’ ଆପ୍‌, ନୂଆ ରୂପ ପାଇଲା ୧୪ ପୋଷ୍ଟ ଅଫିସ୍‌

by Akshay Maharana
0 comments

ଦେଶର ଡାକସେବାକୁ ଆହୁରି ଆଧୁନିକ, ଡିଜିଟାଲ୍‌ ଓ ନାଗରିକକୈନ୍ଦ୍ରିକ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଡାକ ବିଭାଗ। ସୋମବାର ଅପଗ୍ରେଡ୍‌ ‘ଡାକ୍ ମିତ୍ର’ ଓ ‘ଡାକ୍ ସେବା’ ମୋବାଇଲ୍‌ ଆପ୍‌ ଲଞ୍ଚ କରାଯାଇଥିବା ବେଳେ ଦେଶର ୧୪ଟି ନବୀକରଣ ହୋଇଥିବା ପୋଷ୍ଟ ଅଫିସ୍‌ ଭବନର ମଧ୍ୟ ଉଦ୍‌ଘାଟନ କରାଯାଇଛି।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ ଓ ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପେମ୍ମାସାନି ଏହି ଡିଜିଟାଲ୍‌ ପ୍ଲାଟଫର୍ମର ଶୁଭାରମ୍ଭ କରିବା ସହ ନବୀକରଣ ହୋଇଥିବା ଡାକଘରଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି।

ଅପଗ୍ରେଡ୍‌ ‘ଡାକ୍ ମିତ୍ର’ ଆପ୍‌କୁ ୧.୪ ଲକ୍ଷରୁ ଅଧିକ ଶାଖା ଡାକଘର ପାଇଁ ଏକୀକୃତ ଅପରେସନାଲ୍‌ ପ୍ଲାଟଫର୍ମ ଭାବେ ବିକଶିତ କରାଯାଇଛି। ଏହା ଜରିଆରେ ଶାଖା ଡାକପାଳମାନେ କାଗଜବିହୀନ ଓ ରିଅଲ୍‌-ଟାଇମ୍‌ ଡାକ ଏବଂ ଆର୍ଥିକ କାରବାର କରିପାରିବେ।

ମେଲ୍‌ ବୁକିଂ, OTP ଆଧାରିତ ଘରୋଇ ଡେଲିଭରି, କୋର୍‌ ବ୍ୟାଙ୍କିଂ, ବୀମା ସେବା, ଆଧାର ଆଧାରିତ ବାୟୋମେଟ୍ରିକ୍‌ e-KYC, ନଗଦ ଜମା ଓ ଉଠାଣ ସହ PLI/RPLI ପ୍ରିମିୟମ୍‌ ଘରେ ସଂଗ୍ରହ ଭଳି ସୁବିଧା ଏଥିରେ ଉପଲବ୍ଧ ହେବ।

ଅପଗ୍ରେଡ୍‌ ‘ଡାକ୍ ସେବା’ ଆପ୍‌ ଜରିଆରେ ଲୋକମାନେ ୨୪ ଘଣ୍ଟା ଡାକସେବା ସହ ଯୋଡ଼ି ହୋଇପାରିବେ। ପାର୍ସଲ୍‌ ଓ ଚିଠି ଟ୍ରାକିଂ, ବୁକିଂ, ଅଭିଯୋଗ, ପୋଷ୍ଟ ଅଫିସ୍‌ ଏବଂ PIN କୋଡ୍‌ ଖୋଜିବା ସହ ଆର୍ଥିକ କ୍ୟାଲକୁଲେଟର୍‌ ଭଳି ସୁବିଧା ଗୋଟିଏ ପ୍ଲାଟଫର୍ମରେ ମିଳିବ।

ବିଶେଷ କଥା ହେଉଛି, BHASHINI ମାଧ୍ୟମରେ ୨୩ଟି ଭାରତୀୟ ଭାଷାରେ ଆପ୍‌ ବ୍ୟବହାର କରିହେବ। ଫଳରେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଇଁ ଡାକସେବା ଆହୁରି ସହଜ ହେବ।

ଡିଜିଟାଲ୍‌ ପରିବର୍ତ୍ତନ ସହ ଡାକଘରଗୁଡ଼ିକର ଭିତ୍ତିଭୂମିକୁ ମଧ୍ୟ ଆଧୁନିକ କରାଯାଉଛି। ସ୍କୁଲ୍‌ ଅଫ୍‌ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର୍‌ (SPA), ନୂଆଦିଲ୍ଲୀ ସହଯୋଗରେ ଡାକଘର ପାଇଁ ନୂଆ ଡିଜାଇନ୍‌ ମାନୁଆଲ୍‌ ପ୍ରସ୍ତୁତ ହୋଇଛି।

୧୭ଟି ରାଜ୍ୟର ୪୦ଟି ପୋଷ୍ଟ ଅଫିସ୍‌କୁ ଆଧୁନିକୀକରଣ ପାଇଁ ଚୟନ କରାଯାଇଥିବା ବେଳେ ୨୭ଟିର କାମ ଶେଷ ହୋଇଛି। ସେଥିମଧ୍ୟରୁ ସୋମବାର ୧୪ଟି ନବୀକରଣ ହୋଇଥିବା ଡାକଘର ଉଦ୍‌ଘାଟିତ ହୋଇଛି।

ନୂଆ ଡାକଘରଗୁଡ଼ିକରେ ଉନ୍ନତ ସାଇନେଜ୍‌, ନାଗରିକଙ୍କ ପାଇଁ ସୁବିଧାଜନକ ଲେଆଉଟ୍‌ ଓ ନିର୍ଦ୍ଦିଷ୍ଟ ସେବା କାଉଣ୍ଟର୍‌ ରହିବ। କେତେକ ସ୍ଥାନରେ ୨୪×୭ ସେବା, ATM, ଅଫ୍‌-ଆୱାର୍‌ ବୁକିଂ ଓ ସ୍ମାର୍ଟ ପାର୍ସଲ୍‌ ସେବା ମଧ୍ୟ ଉପଲବ୍ଧ ହେବ।

ଡିଜିଟାଲ୍‌ ପ୍ଲାଟଫର୍ମ ଓ ଆଧୁନିକ ଭିତ୍ତିଭୂମିର ମିଶ୍ରଣ ଦ୍ୱାରା ଶେଷ ମାଇଲ୍‌ ଡେଲିଭରି ଆହୁରି ମଜବୁତ ହେବା ସହ ଭାରତୀୟ ଡାକସେବା ଅଧିକ ଦ୍ରୁତ, ସହଜ ଓ ଦକ୍ଷ ହେବ ବୋଲି ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

You may also like

Leave a Comment