Home Featuredରାସ୍ତାକଡ଼ରୁ ନବଜାତ ଶିଶୁ ଉଦ୍ଧାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାସ୍ତାକଡ଼ରୁ ନବଜାତ ଶିଶୁ ଉଦ୍ଧାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

by Sunita Jena
0 comments

ରାସ୍ତାକଡ଼ରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରିଛି ମଇଦଳପୁର ପୁଲିସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଳପୁର ଗ୍ରାମପଞ୍ଚାୟତର ଗୋପୀଗୁଡ଼ା ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ମଇଦଳପୁର ପୁଲିସ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ରାସ୍ତା ପାର୍ଶ୍ୱରୁ ଶିଶୁର କାନ୍ଦିବା ଶବ୍ଦ ଶୁଣିଥିଲେ। ସନ୍ଦେହ ହେବାରୁ ପୁଲିସ ନିକଟକୁ ଯାଇ ଦେଖିବା ପରେ ରାସ୍ତାକଡ଼ରେ ଏକ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଥିଲା। ତୁରନ୍ତ ଶିଶୁକୁ ଉଦ୍ଧାର କରି ମଇଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଛି। ଉଦ୍ଧାର ସମୟରେ ଶିଶୁର ଶରୀରରେ ପିମ୍ପୁଡ଼ି କାମୁଡ଼ାର ଚିହ୍ନ ଥିବା ସହ ରକ୍ତାକ୍ତ ଅବସ୍ଥାରେ ଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ, ଜନ୍ମ ପରେ ଶିଶୁଟିକୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇନଥିବାରୁ ତାହାର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇଥିବା କୁହାଯାଉଛି। ଶିଶୁକୁ ଏଭଳି ଅବସ୍ଥାରେ ରାସ୍ତାକଡ଼ରେ ଛାଡ଼ି ଯିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଏପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଶୁକୁ କିଏ ଓ କେଉଁ ପରିସ୍ଥିତିରେ ରାସ୍ତାକଡ଼ରେ ଛାଡ଼ି ଯାଇଥିଲା, ସେନେଇ ଖୋଳତାଡ଼ ଚାଲିଛି। ଶିଶୁର ପରିଚୟ ଏବଂ ଘଟଣା ପଛରେ ଥିବା କାରଣ ସ୍ପଷ୍ଟ ହେବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡ଼ିଛି।

You may also like

Leave a Comment