ସମ୍ବଲପୁର ଜିଲ୍ଲା ବୁର୍ଲାର କିର୍ବା ଛକରେ ଗୁଳିକାଣ୍ଡ ଘଟି ଜଣେ ମାଂସ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ୩୬ ବର୍ଷୀୟ ମହମ୍ମଦ ଅନିଶ। ତାଙ୍କୁ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳି କରିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, କିର୍ବା ଛକ ନିକଟରେ ଅନିଶଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଅନିଶ ପୂର୍ବରୁ ପିସି ବ୍ରିଜ ନିକଟରେ ମାଂସ ଦୋକାନ ଚଳାଉଥିଲେ। ଏହାସହ ସେ ଜମି କାରବାରରେ ମଧ୍ୟ ଜଡ଼ିତ ଥିବା ସୂଚନା ମିଳିଛି। ଜମି କାରବାରକୁ ନେଇ ଥିବା ବ୍ୟକ୍ତିଗତ ଶତ୍ରୁତା ହତ୍ୟାକାଣ୍ଡର ପଛରେ ଥାଇପାରେ ବୋଲି ପୁଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି। ଘଟଣାରେ ଅନିଶଙ୍କ ମାଂସ ଦୋକାନର ଜଣେ କର୍ମଚାରୀଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏହି ମାମଲାରେ ରାଜା ସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ତାଙ୍କ ଘର ଝାରସୁଗୁଡ଼ାର ମଙ୍ଗଳବଜାର ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି।
ଅନ୍ୟପଟେ, କିଛି ଦିନ ପୂର୍ବରୁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଅନିଶଙ୍କ ମାଂସ ଦୋକାନ ଭାଙ୍ଗି ଦିଆଯାଇଥିଲା। ତେବେ ଦୋକାନ ଭଙ୍ଗା ଘଟଣାର ଏହି ହତ୍ୟାକାଣ୍ଡ ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।ଗୁଳିକାଣ୍ଡ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାର ପ୍ରକୃତ କାରଣ, ଗୁଳିକାଣ୍ଡରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୁଲିସ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି। ତଦନ୍ତ ଆଗକୁ ବଢ଼ିବା ସହ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
