Home Odishaଶିକ୍ଷକଙ୍କୁ ଦଶହରା ଭେଟି: ନୂଆ ସର୍ଭିସ ରୁଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ, ୧୬ଟି ପ୍ରସ୍ତାବକୁ ଅନୁମୋଦନ

ଶିକ୍ଷକଙ୍କୁ ଦଶହରା ଭେଟି: ନୂଆ ସର୍ଭିସ ରୁଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ, ୧୬ଟି ପ୍ରସ୍ତାବକୁ ଅନୁମୋଦନ

by Lokanath Panigrahi
0 comments

ହିନ୍ଦୀ-ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ମାନ୍ୟତା, ପ୍ରାଥମିକ ଶିକ୍ଷକଙ୍କ ବରିଷ୍ଠତା ବିବାଦର ସମାଧାନ | ୪୫୦ କୋଟିର ଦକ୍ଷତା ବିକାଶ ଯୋଜନା, ଚାଷୀଙ୍କ ପାଇଁ ୧,୩୬୦ କୋଟିର ସୁଧମୁକ୍ତ ପାଣ୍ଠି

ଭୁବନେଶ୍ୱର: ଶିକ୍ଷକଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦଶହରା ପୂର୍ବରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କୁ ଭେଟି ଦେଇ ନୂଆ ସର୍ଭିସ ରୁଲ୍‌କୁ ଅନୁମୋଦନ ମିଳିଛି। ଏଥିସହ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ମାନ୍ୟତା ଏବଂ ପ୍ରାଥମିକ ଶିକ୍ଷକଙ୍କ ବରିଷ୍ଠତା ବିବାଦର ସମାଧାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବ ଅନୁମୋଦିତ ହୋଇଛି।

୧୯୯୩ ମସିହାର ପୁରୁଣା ନିୟମ ବଦଳରେ ‘ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମ, ୨୦୨୬’ ପ୍ରଣୟନକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ଆଧୁନିକ ମାନଦଣ୍ଡ ଲାଗୁ ହେବା ସହ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ କ୍ୟାଡର ଏବଂ ପଦୋନ୍ନତି ସୁବିଧା ମିଳିବ। ସେହିପରି ୧୯୯୭ର ପ୍ରାଥମିକ ଶିକ୍ଷା ନିୟମର ଧାରା ୧୫(୬) ସଂଶୋଧନ କରାଯାଇ ସ୍ତର-୨ ଏବିଇଓ କ୍ୟାଡରରେ ବରିଷ୍ଠତା ନିର୍ଦ୍ଧାରଣ ପାଇଁ ସ୍ତର-୩ ଚୟନ ତାଲିକାର ସ୍ଥାନକୁ ଆଧାର କରିବାକୁ ନିଷ୍ପତ୍ତି ହୋଇଛି।

ଶିକ୍ଷା କ୍ଷେତ୍ରରେ ‘ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ’ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଆଗାମୀ ପାଞ୍ଚ ବର୍ଷରେ ୨୮୪.୦୭ କୋଟି ଟଙ୍କା ବ୍ୟୟରେ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ୨୮.୭୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ (ଏସ୍‌ସି/ଏସ୍‌ଟି ବର୍ଗ ବ୍ୟତୀତ) ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ।

ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ୪୫୦ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ମିଳିଛି। ୨୦୨୬-୨୭ରୁ ୨୦୨୮-୨୯ ମଧ୍ୟରେ ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେବା ଲକ୍ଷ୍ୟ ରହିଛି। ଏଥିରେ ୩ ଲକ୍ଷ ଯୁବକଯୁବତୀଙ୍କୁ ଏଆଇ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଡିଜିଟାଲ୍ ତାଲିମ ଦିଆଯିବ। ଅନ୍ୟ ୧.୧୭ ଲକ୍ଷଙ୍କୁ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ, ସ୍କିଲ୍ ହବ୍, ଜର୍ମାନ ଓ ଜାପାନୀ ଭାଷା ଶିକ୍ଷା, ବିଦେଶରେ ନିଯୁକ୍ତି ସହାୟତା ଏବଂ ଦିବ୍ୟାଙ୍ଗ ଓ ଜେଲ୍ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ୪୦ ଜଣ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ନିୟୋଜିତ ହେବେ ଏବଂ ‘ସ୍କିଲ୍‌ଡ-ଇନ୍‌-ଓଡ଼ିଶା ଡିଜିଟାଲ୍ ହବ୍’ ସ୍ଥାପନ ହେବ।

ଚାଷୀଙ୍କୁ ଉନ୍ନତ ବିହନ ଓ ସାର ଯୋଗାଣ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ଏବଂ ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନକୁ ୧,୩୬୦ କୋଟି ଟଙ୍କାର ସୁଧମୁକ୍ତ କର୍ପସ୍ ପାଣ୍ଠି ମଞ୍ଜୁର ହୋଇଛି। କଟକର ମହାନଦୀ ରିଭରଫ୍ରଣ୍ଟ ସମନ୍ୱିତ ବିକାଶ ପାଇଁ ୧୩୩.୭୧ କୋଟି ଏବଂ ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ଇନ୍‌ଷ୍ଟ୍ରିମ୍ ଜଳାଶୟ ନିର୍ମାଣ ପାଇଁ ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି।

କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୭୬.୮୩ କୋଟି ଟଙ୍କା ବ୍ୟୟରେ ଡିଜିଟାଲ୍ ବିପର୍ଯ୍ୟୟ ପୁନରୁଦ୍ଧାର-ସହ-ତଥ୍ୟ କେନ୍ଦ୍ର ସ୍ଥାପନ ହେବ। ଏହା ସରକାରୀ ଡିଜିଟାଲ୍ ସେବାର ସୁରକ୍ଷା ଓ ନିରବଚ୍ଛିନ୍ନତା ସୁନିଶ୍ଚିତ କରିବ। ଏଥିସହ ଜଳସମ୍ପଦ ବିଭାଗର ଡିପ୍ଲୋମା ଯନ୍ତ୍ରୀଙ୍କ କ୍ୟାଡର ପୁନର୍ବିନ୍ୟାସ, ଶିଳ୍ପନୀତି-୨୦୨୨ରେ ଷ୍ଟାମ୍ପ ଶୁଳ୍କ ସଂଶୋଧନ ଏବଂ ରାଇରଙ୍ଗପୁରରେ ଡାକ ବିଭାଗର କାର୍ଯ୍ୟାଳୟ ନିର୍ମାଣ ପାଇଁ ମାଗଣା ଜମି ହସ୍ତାନ୍ତର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ଏହାବ୍ୟତୀତ ଶାସନ ମୁଖ୍ୟ ଭାବେ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟ କ୍ୟାବିନେଟ୍‌ରେ ଏକ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

You may also like

Leave a Comment