Home Featuredହଣ୍ଡପାରେ ବେଆଇନ କୋଇଲା ଷ୍ଟକ୍‌ୟାର୍ଡ, ଜବତ କୋଇଲା ଗାଏବ ଅଭିଯୋଗ

ହଣ୍ଡପାରେ ବେଆଇନ କୋଇଲା ଷ୍ଟକ୍‌ୟାର୍ଡ, ଜବତ କୋଇଲା ଗାଏବ ଅଭିଯୋଗ

by Sunita Jena
0 comments

ଅନୁଗୋଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଘରୋଇ ଜମିରେ ଚାଲିଥିବା ଏକ କୋଇଲା ଷ୍ଟକ୍‌ୟାର୍ଡକୁ ନେଇ ବିବାଦ ଦେଖାଦେଇଛି। ବିନା ଅନୁମତିରେ କୋଇଲା ମହଜୁଦ ରଖାଯାଇଥିବା ଜଣାପଡ଼ିବା ପରେ ତାଳଚେର ଖଣି ବିଭାଗ ଷ୍ଟକ୍‌ୟାର୍ଡକୁ ଜବତ କରିଥିଲା।ଖଣି ବିଭାଗର ଯାଞ୍ଚ ବେଳେ ରେଳ ସାଇଡିଂ ବାହାରେ ପ୍ରାୟ ୧,୭୦୦ ଟନ୍‌ କୋଇଲା ମହଜୁଦ ଥିବା ଚିହ୍ନଟ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୨.୫ ଲକ୍ଷ ଟଙ୍କା ବୋଲି ସରକାରୀ ରେକର୍ଡରୁ ଜଣାପଡ଼ିଛି। ପରେ ବିଭାଗ ପକ୍ଷରୁ କୋଇଲାକୁ ଜବତ କରାଯାଇଥିଲା।

ଜବତ କୋଇଲାର ସୁରକ୍ଷା ଦାୟିତ୍ୱ ଷ୍ଟକ୍‌ୟାର୍ଡର ପରିଚାଳନା ଠିକାଦାରଙ୍କୁ ଦିଆଯାଇଥିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ଅଗଷ୍ଟ ୨୭ ତାରିଖ ରାତିରୁ ୨୮ ତାରିଖ ସକାଳ ମଧ୍ୟରେ ଜବତ କୋଇଲାର ବଡ଼ ଅଂଶ ଷ୍ଟକ୍‌ୟାର୍ଡରୁ ହଟାଇ ଦିଆଯାଇଛି। ଜେସିବି ଓ ଟ୍ରକ୍‌ ବ୍ୟବହାର କରି କୋଇଲା ପରିବହନ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାର କିଛି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ଦାବି କରାଯାଇଛି।ଅନ୍ୟପଟେ ବେଆଇନ ଷ୍ଟକ୍‌ୟାର୍ଡକୁ ନେଇ ସମ୍ପୃକ୍ତ ସଂସ୍ଥାର ହଣ୍ଡପା ରେଳ ସାଇଡିଂକୁ କୋଇଲା ପରିବହନ ଅନୁମତି ପ୍ରଥମେ ବାତିଲ କରାଯାଇଥିଲା। ପରେ ହିନ୍ଦୋଳ ରେଳ ସାଇଡିଂ ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଏହାର ପରଦିନ ପୁଣି ହଣ୍ଡପା ସାଇଡିଂକୁ କୋଇଲା ପରିବହନ ଅନୁମତି କିପରି ମିଳିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଖଣି ବିଭାଗ ପକ୍ଷରୁ ଷ୍ଟକ୍‌ୟାର୍ଡ ଜବତ କରାଯିବା ସହ ସମ୍ପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ତାଳଚେର ଖଣି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏବେ ଜବତ କୋଇଲା କିପରି ଗାଏବ ହେଲା ଏବଂ ଏଥିରେ କାହାର ଦାୟିତ୍ୱ ରହିଛି, ତାହା ତଦନ୍ତରେ ସ୍ପଷ୍ଟ ହେବ।

You may also like

Leave a Comment