୫ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ | ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ, ନେଟୱାର୍କ ମିଳିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ, ଓଡ଼ିଶାରୁ ୫ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦେଶୀ ଓ ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ଅବୈଧ ପରିବହନ ପାଇଁ ଓଡ଼ିଶାକୁ କୌଣସି ପରିସ୍ଥିତିରେ ଟ୍ରାଞ୍ଜିଟ୍ ପଥ ଭାବେ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ସେ କଡ଼ା ବାର୍ତ୍ତା ଦେଇଛନ୍ତି।
ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇଥିବା ଏହି ୫ ଶିଶୁ ଓରାଙ୍ଗଉଟାନ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେମାନଙ୍କୁ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁ ମାର୍ଗ ଦେଇ ରାଜ୍ୟରେ ପ୍ରବେଶ କରାଯାଇଥିଲା—ଏସବୁ ଦିଗରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ଏହି ବନ୍ୟପ୍ରାଣୀଙ୍କୁ ଓଡ଼ିଶାକୁ ଆଣିବା ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏଥିରେ କିଏ କିଏ ସମ୍ପୃକ୍ତ ଥିଲେ, ତାହା ମଧ୍ୟ ଖୋଜାଯିବ।
ଦୁବାଇରେ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଘଟିଥିବା ଏହି ଘଟଣାର ପ୍ରତ୍ୟେକ ଦିଗ ଉପରେ ନଜର ରଖିଛନ୍ତି। ବିରଳ ବନ୍ୟପ୍ରାଣୀଙ୍କ ଅବୈଧ ପରିବହନକୁ ନେଇ ଘଟଣାଟିକୁ ସରକାର ଗୁରୁତ୍ୱର ସହ ନେଇଥିବା ସ୍ପଷ୍ଟ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଦେଶୀ ବନ୍ୟପ୍ରାଣୀଙ୍କ ବେଆଇନ ଚାଲାଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ରୁଟ୍ ଭାବେ ବ୍ୟବହାର କରିବାକୁ କେବେହେଲେ ଅନୁମତି ଦିଆଯିବ ନାହିଁ। ଯଦି ଏହି ଅବୈଧ ପରିବହନ ପଛରେ କୌଣସି ସଂଗଠିତ ନେଟୱାର୍କ ଥିବା ତଦନ୍ତରୁ ଜଣାପଡ଼େ, ତେବେ ସେହି ନେଟୱାର୍କରେ ସାମିଲ ସମସ୍ତଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
ତଦନ୍ତକୁ ଅଧିକ ବ୍ୟାପକ କରିବା ପାଇଁ ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB), ବନ ବିଭାଗ ଏବଂ ଅନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ସମନ୍ୱୟ ରଖି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀଙ୍କ ଉତ୍ସ, ପରିବହନ ମାର୍ଗ, ରାଜ୍ୟରେ ପ୍ରବେଶ ପ୍ରକ୍ରିୟା ଓ ସମ୍ଭାବ୍ୟ ଚୋରାଚାଲାଣ ଚକ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।
ଅନ୍ୟପକ୍ଷରେ, ଉଦ୍ଧାର ହୋଇଥିବା ୫ ଶିଶୁ ଓରାଙ୍ଗଉଟାନଙ୍କ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ତଦନ୍ତ ଜାରି ରହିଥିବା ସମୟରେ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା, ସୁରକ୍ଷିତ ପରିବେଶ ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
୫ ଶିଶୁ ଓରାଙ୍ଗଉଟାନଙ୍କ ଉଦ୍ଧାର ପରେ ଏବେ ତଦନ୍ତର ନଜର ଚୋରାଚାଲାଣ ଚକ୍ର ଉପରେ। ଓଡ଼ିଶା ଦେଇ ବିଦେଶୀ ବନ୍ୟପ୍ରାଣୀଙ୍କ ବେଆଇନ ଚାଲାଣକୁ ରୋକିବାକୁ ସରକାରଙ୍କ କଡ଼ା ଆଭିମୁଖ୍ୟ ଏହି ଘଟଣାରେ ସ୍ପଷ୍ଟ ହୋଇଛି।
