Home Odishaଜମି ରେକର୍ଡରେ ଆସିବ ବଡ଼ ପରିବର୍ତ୍ତନ, ଆରମ୍ଭ ହେଲା DILRMP 3.0

ଜମି ରେକର୍ଡରେ ଆସିବ ବଡ଼ ପରିବର୍ତ୍ତନ, ଆରମ୍ଭ ହେଲା DILRMP 3.0

by Akshay Maharana
0 comments

ଡିଜିଟାଲ ଲ୍ୟାଣ୍ଡ ଷ୍ଟାକ୍‌ରେ ଏକାଠି ହେବ ଜମିର ସବୁ ତଥ୍ୟ; ଓଡ଼ିଶାରେ DILRMP ଅଗ୍ରଗତି ପ୍ରାୟ ୧୦୦ ପ୍ରତିଶତ, ଦେଶର ଜମି ପ୍ରଶାସନ ବ୍ୟବସ୍ଥାକୁ ଅଧିକ ଆଧୁନିକ, ସ୍ୱଚ୍ଛ, ଦ୍ରୁତ ଏବଂ ନାଗରିକକୈନ୍ଦ୍ରିକ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ନାଇଜେସନ୍ ପ୍ରୋଗ୍ରାମ୍ (DILRMP) ୩.୦ର ଅପରେସନାଲ ଗାଇଡ୍‌ଲାଇନ୍ ଉନ୍ମୋଚିତ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଗାଇଡ୍‌ଲାଇନ୍ ଉନ୍ମୋଚନ କରିଥିବା ବେଳେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ।

DILRMP ୨.୦ ମାଧ୍ୟମରେ ଜମିର Record of Rights (RoR), କ୍ୟାଡାଷ୍ଟ୍ରାଲ ମ୍ୟାପ୍ ଏବଂ ରେଜିଷ୍ଟ୍ରେସନ୍ ବ୍ୟବସ୍ଥାର ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏବେ DILRMP ୩.୦ରେ ଏସବୁ ବ୍ୟବସ୍ଥାକୁ ଗୋଟିଏ ଏକୀକୃତ, GIS-ସକ୍ଷମ ଏବଂ ପରସ୍ପର ସଂଯୋଗଯୋଗ୍ୟ Land Stack ଭିତରେ ଅଣାଯିବ। ୨୦୨୬ ଏପ୍ରିଲ ୧ରୁ ୨୦୩୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ଏବଂ ଏଥିପାଇଁ ମୋଟ ୫୬୫.୫୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି।

ନୂଆ ବ୍ୟବସ୍ଥାରେ ଜମିର କ୍ୟାଡାଷ୍ଟ୍ରାଲ ପାର୍ସେଲ୍‌କୁ ମୂଳ ସ୍ପେସିଆଲ୍ ଲେୟର ଭାବେ ବ୍ୟବହାର କରାଯିବ। ଏଥିରେ RoR, ରେଜିଷ୍ଟ୍ରେସନ୍ ତଥ୍ୟ, ସର୍କଲ୍ ରେଟ୍‌, ଜମି ଉପରେ ଥିବା କଟକଣା, ଜମି ବ୍ୟବହାର, ବିଲ୍ଡିଂ ପ୍ଲାନ୍ ସହ ଅନ୍ୟାନ୍ୟ ସମ୍ପର୍କିତ ତଥ୍ୟକୁ API ମାଧ୍ୟମରେ ଏକାଠି କରାଯିବ। ପ୍ରତ୍ୟେକ ଜମି ଖଣ୍ଡ ପାଇଁ ULPIN/Bhu-Aadhaarକୁ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଭାବେ ବ୍ୟବହାର କରାଯିବ।

DILRMP ୩.୦ର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମୀଣ, ଅର୍ଦ୍ଧ-ସହରାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ଜମିକୁ ଡିଜିଟାଇଜ୍‌, ଜିଓ-ରେଫରେନ୍ସ ଏବଂ Bhu-Aadhaar ପ୍ରଦାନ କରିବା। ପୁରୁଣା ଜମି ଓ ରେଜିଷ୍ଟ୍ରେସନ୍ ରେକର୍ଡକୁ ମଧ୍ୟ ଡିଜିଟାଇଜ୍ କରି ସହଜରେ ସନ୍ଧାନ ଓ ବ୍ୟବହାରର ସୁବିଧା ଦିଆଯିବ।

ଏହା ସହ ଜମି କିଣାବିକା, ରେଜିଷ୍ଟ୍ରେସନ୍ ଏବଂ ମାଲିକାନା ହସ୍ତାନ୍ତର ପ୍ରକ୍ରିୟାକୁ ଅଧିକ ଡିଜିଟାଲ୍ ଓ ସୁରକ୍ଷିତ କରାଯିବ। ରାଜସ୍ୱ ଅଦାଲତର ପ୍ରକ୍ରିୟାକୁ ମଧ୍ୟ ଡିଜିଟାଇଜ୍ କରାଯାଇ ମ୍ୟୁଟେସନ୍ ଓ ଜମି ବିବାଦ ସମାଧାନରେ ବିଳମ୍ବ କମାଇବାକୁ ଲକ୍ଷ୍ୟ ରହିଛି।

DILRMP କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରାୟ ୧୦୦ ପ୍ରତିଶତ ଅଗ୍ରଗତି ହାସଲ କରିଥିବା ବେଳେ ରାଜ୍ୟରେ ପ୍ରଯୁକ୍ତିଭିତ୍ତିକ ରାଜସ୍ୱ ପ୍ରଶାସନକୁ ଆହୁରି ସୁଦୃଢ କରାଯାଉଛି। ରାଜ୍ୟର ୩୧୭ ତହସିଲ ମଧ୍ୟରୁ ୩୧୧ଟିରେ Modern Record Room ପ୍ରତିଷ୍ଠା ହୋଇସାରିଛି।

ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି ଏବଂ ଗଞ୍ଜାମରେ ହାଇଟେକ୍ ସର୍ଭେ ଚାଲିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧,୯୯,୮୬,୪୮୭ଟି RoR କମ୍ପ୍ୟୁଟରାଇଜ୍ ହୋଇଛି। ସେହିପରି ୫୧,୮୦୨ଟି ଗାଁ ମଧ୍ୟରୁ ପ୍ରାୟ ୫୧,୭୪୨ଟି ଗାଁର Bhu-Naksha ପ୍ରସ୍ତୁତ ହୋଇଛି।

ଓଡ଼ିଶାର ୩୨୧ଟି ସବ୍-ରେଜିଷ୍ଟ୍ରାର ଅଫିସ୍‌ ମଧ୍ୟରୁ ୨୧୩ଟି କମ୍ପ୍ୟୁଟରାଇଜ୍ ହୋଇସାରିଛି। ୨୦୨୫ରେ ପ୍ରତିଷ୍ଠିତ ୧୦୮ଟି ନୂଆ ରେଜିଷ୍ଟ୍ରେସନ୍ ଅଫିସ୍‌କୁ ମଧ୍ୟ ଆଧୁନିକ ପ୍ରଯୁକ୍ତିଭିତ୍ତିକ ଭିତ୍ତିଭୂମିରେ ସଜାଯାଉଛି।

ରାଜସ୍ୱ କ୍ଷେତ୍ରର କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଗୋଠପାଟଣାସ୍ଥିତ Revenue Officers’ Training Instituteରେ DILRMP Cell ମଧ୍ୟ ଗଠନ କରାଯାଇଛି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, DILRMP ୩.୦ ଜମି ପ୍ରଶାସନକୁ ଏକୀକୃତ, ଡିଜିଟାଲ୍‌, GIS-ଭିତ୍ତିକ ଏବଂ ନାଗରିକକୈନ୍ଦ୍ରିକ ବ୍ୟବସ୍ଥାରେ ପରିଣତ କରିବାରେ ଏକ ମାଇଲଖୁଣ୍ଟ ହେବ। ଏହା ଦ୍ୱାରା ଜମି ସମ୍ପର୍କିତ ସେବାରେ ସ୍ୱଚ୍ଛତା, ସୁରକ୍ଷା, ସୁବିଧା ଓ ଦ୍ରୁତତା ଆହୁରି ବଢ଼ିବ।

କ୍ୟାଶ୍‌ଲେସ୍ ଓ ପେପର୍‌ଲେସ୍ ରେଜିଷ୍ଟ୍ରେସନ୍‌, ଆଧୁନିକ ମନିଟରିଂ ବ୍ୟବସ୍ଥା ଏବଂ ପ୍ରଯୁକ୍ତିଭିତ୍ତିକ ସଂସ୍କାର ମାଧ୍ୟମରେ ଓଡ଼ିଶାର ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଲୋକକୈନ୍ଦ୍ରିକ କରିବା ଦିଗରେ ପ୍ରୟାସ ଜାରି ରହିଛି।

You may also like

Leave a Comment