Home Odishaଅବୈଧ ଲିଙ୍ଗ ନିର୍ଣ୍ଣୟ ଉପରେ କଡ଼ା ନଜର; ଲିଙ୍ଗ ଅନୁପାତରେ ଯାଜପୁର ସର୍ବୋତ୍ତମ ପ୍ରଦର୍ଶନକାରୀ ଜିଲ୍ଲା

ଅବୈଧ ଲିଙ୍ଗ ନିର୍ଣ୍ଣୟ ଉପରେ କଡ଼ା ନଜର; ଲିଙ୍ଗ ଅନୁପାତରେ ଯାଜପୁର ସର୍ବୋତ୍ତମ ପ୍ରଦର୍ଶନକାରୀ ଜିଲ୍ଲା

by Lokanath Panigrahi
0 comments

ରାଜ୍ୟରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ (Sex Ratio at Birth-SRB)ରେ ଉନ୍ନତି ଆଣିବା ଏବଂ ଅବୈଧ ଲିଙ୍ଗ ନିର୍ଣ୍ଣୟକୁ ରୋକିବା ପାଇଁ ରାଜ୍ୟ ସରକାର ପୁଣିଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜିଲ୍ଲାସ୍ତରୀୟ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅଲ୍ଟ୍ରାସାଉଣ୍ଡ କ୍ଲିନିକଗୁଡ଼ିକର ନିୟମିତ ଯାଞ୍ଚ ଓ କଡ଼ା ତଦାରଖ ପାଇଁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ପିସି-ପିଏନଡିଟି (PCPNDT) ଆଇନ ସମ୍ବନ୍ଧୀୟ ରାଜ୍ୟ ସୁପରଭାଇଜରି ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ଜନ୍ମ ସମୟର ଲିଙ୍ଗ ଅନୁପାତର ସ୍ଥିତି, ଅବୈଧ ଲିଙ୍ଗ ନିର୍ଣ୍ଣୟ ରୋକିବା ଏବଂ ଆଇନର ପ୍ରଭାବୀ କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଲିଙ୍ଗ ଅନୁପାତରେ ଯାଜପୁର ଶୀର୍ଷରେ

ଜନ୍ମ ସମୟରେ ଲିଙ୍ଗ ଅନୁପାତ (SRB) ସମୀକ୍ଷାରେ ଯାଜପୁର ଜିଲ୍ଲାକୁ ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବେ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଓ ଖୋର୍ଦ୍ଧାକୁ ସବୁଠାରୁ ନିମ୍ନ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି।

ଏହି ଜିଲ୍ଲାଗୁଡ଼ିକରେ ଜିଲ୍ଲାସ୍ତରୀୟ ନିରୀକ୍ଷଣ ବଢ଼ାଇବା, ଫର୍ମ-ଏଫର ଶତପ୍ରତିଶତ ଯାଞ୍ଚ, ଅଲ୍ଟ୍ରାସାଉଣ୍ଡ କ୍ଲିନିକଗୁଡ଼ିକର ନିୟମିତ ଅଡିଟ୍‌ ଏବଂ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚଳାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୧-୨୦୨୩ର ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରତି ୧,୦୦୦ ପୁରୁଷଙ୍କ ପାଇଁ ୯୨୩ ଜଣ ମହିଳା ରହିଛନ୍ତି। ସେହିପରି ଓଡ଼ିଶାରେ ଜନ୍ମହାର ୧୬ ପ୍ରତିଶତ ଥିବାବେଳେ ଜାତୀୟ ହାର ୧୮.୪ ପ୍ରତିଶତ ରହିଛି।

ଅବୈଧ ଲିଙ୍ଗ ନିର୍ଣ୍ଣୟ ରୋକିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ବୈଠକରେ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକୁ ଅଧିକ ସକ୍ରିୟ କରିବା, ଅଲ୍ଟ୍ରାସାଉଣ୍ଡ କ୍ଲିନିକଗୁଡ଼ିକର ନିୟମିତ ଯାଞ୍ଚ ଓ ମନିଟରିଂ ବଢ଼ାଇବା ସହ ଜନସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ପିସି-ପିଏନଡିଟି ଆଇନର କଠୋର କାର୍ଯ୍ୟାନ୍ୱୟନ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ସାଧାରଣ ଲୋକଙ୍କ ସହଭାଗିତା ମାଧ୍ୟମରେ ହିଁ ଅବୈଧ ଲିଙ୍ଗ ନିର୍ଣ୍ଣୟକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ।

ପ୍ରଯୁକ୍ତି ବ୍ୟବହାରରେ ବଢ଼ିଛି ସ୍ୱଚ୍ଛତା

ବୈଠକରେ ଅନଲାଇନ୍ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ପଞ୍ଜୀକରଣ ଓ ନବୀକରଣ, ଅନଲାଇନ୍ ଫର୍ମ-ଏଫ ରିପୋର୍ଟିଂ, OCMR ମାଧ୍ୟମରେ ଡାକ୍ତରଙ୍କ ପଞ୍ଜୀକରଣ ଯାଞ୍ଚ ଏବଂ ABHA ଆଧାରିତ ହିତାଧିକାରୀ ପ୍ରମାଣୀକରଣ ବ୍ୟବସ୍ଥାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏହି ପଦକ୍ଷେପ ଫଳରେ ନିରୀକ୍ଷଣ ଓ ସ୍ୱଚ୍ଛତା ବୃଦ୍ଧି ପାଇଥିବା ବୋର୍ଡ ମତ ପ୍ରକାଶ କରିଛି।

୬ଟି ବେଆଇନ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ସିଲ୍

୨୦୨୪ରୁ ୨୦୨୬ ମଧ୍ୟରେ ଜିଲ୍ଲା କର୍ତ୍ତୃପକ୍ଷ ୬୪୯ଟି ଏବଂ ରାଜ୍ୟ କର୍ତ୍ତୃପକ୍ଷ ୧୧ଟି ଯାଞ୍ଚ କରିଥିବାବେଳେ ୬ଟି ବେଆଇନ ଅଲ୍ଟ୍ରାସାଉଣ୍ଡ କ୍ଲିନିକକୁ ସିଲ୍ କରାଯାଇଛି। ସେହିପରି ୬ଟି ଅଲ୍ଟ୍ରାସାଉଣ୍ଡ ମେସିନ୍ ଜବତ କରାଯାଇଥିବା ସହ ଏଫଆଇଆର୍ ରୁଜୁ, ଅଭିଯୋଗପତ୍ର ଦାଖଲ ଏବଂ ସମ୍ପୃକ୍ତ ସରକାରୀ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଦାତାଙ୍କୁ ମିଳିବ ୨୫ ହଜାର ଟଙ୍କା ପୁରସ୍କାର

ବୋର୍ଡ ନିଷ୍ପତ୍ତି ନେଇଛି ଯେ, ଅବୈଧ ଲିଙ୍ଗ ନିର୍ଣ୍ଣୟ ଓ ଲିଙ୍ଗ ଚୟନ ସହ ଜଡ଼ିତ ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ସେହିସହ ମେଡିକାଲ କଲେଜ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ନେଇ ସଚେତନତା ଅଭିଯାନକୁ ଆହୁରି ଜୋରଦାର କରାଯିବ।

ସୂଚନାଦାତା ପ୍ରୋତ୍ସାହନ ଯୋଜନା ଅନୁସାରେ ଅଣପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ, ଅବୈଧ ଲିଙ୍ଗ ଚୟନ କିମ୍ବା ଲିଙ୍ଗ ନିର୍ଣ୍ଣୟ ସମ୍ପର୍କରେ ବିଶ୍ୱସନୀୟ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

You may also like

Leave a Comment