ଲୋକସେବା ଭବନରେ ଚାରାରୋପଣ, ପ୍ରଦର୍ଶନୀ ପଡ଼ିଆରେ ମେଗା ରକ୍ତଦାନ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୬:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଓଡ଼ିଶାରେ ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ପରିସରରେ ଚାରାରୋପଣ କରିବା ସହ ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗଦେଇଛନ୍ତି।
ଶିବିରରେ ୬,୫୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ରକ୍ତଦାନର ଗୁରୁତ୍ୱ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, “ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ।”
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ନ ହାରାଏ, ସେଥିପାଇଁ ସରକାର ପଦକ୍ଷେପ ନେଉଛି। ୨୦୨୬-୨୭ ବଜେଟ୍ରେ ୫୦ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟବରାଦ ସହ ‘ଅଟଳ ରକ୍ତଦାନ ଅଭିଯାନ’ ଆରମ୍ଭ କରାଯାଇଥିବା ସେ କହିଛନ୍ତି। ଏହା ଅଧୀନରେ ନୂଆ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ଏବଂ ଥିବା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି।.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଓଡ଼ିଶାବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋଦୀଙ୍କ ଦୀର୍ଘ ସାର୍ବଜନୀନ ଜୀବନ ଓ ନେତୃତ୍ୱରୁ ପ୍ରେରଣା ନେଇ ‘ସେବା ସଂକଳ୍ପ ଅଭିଯାନ’କୁ ସମାଜସେବା ସହ ଯୋଡ଼ାଯାଉଛି।
ଯୁବବର୍ଗଙ୍କୁ ଆହ୍ୱାନ ଦେଇ ସେ କହିଥିଲେ ଯେ, ଦୈନନ୍ଦିନ ଜୀବନରୁ କିଛି ସମୟ ବାହାର କରି ସମାଜସେବା ଓ ରାଷ୍ଟ୍ର ନିର୍ମାଣମୂଳକ କାର୍ଯ୍ୟରେ ଯୁବପିଢ଼ି ଅଧିକ ସଂପୃକ୍ତ ହେବା ଆବଶ୍ୟକ।
ଦେଶର ବିକାଶ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୋଦୀଙ୍କ ନେତୃତ୍ୱରେ ଭାରତ ପ୍ରତିରକ୍ଷା, ସେମିକଣ୍ଡକ୍ଟର ଓ ମହାକାଶ ପ୍ରଯୁକ୍ତି ଭଳି କ୍ଷେତ୍ରରେ ଆଗକୁ ବଢ଼ୁଛି। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଦିଗରେ ଦେଶ ଆଗକୁ ବଢ଼ୁଛି ବୋଲି ସେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରକ୍ତଦାନର ଗୁରୁତ୍ୱ ଉପରେ ମତ ରଖିଥିଲେ। ରକ୍ତଦାନ ମାଧ୍ୟମରେ ଜୀବନ ରକ୍ଷା କରାଯାଇପାରେ ଏବଂ ଏଥିପାଇଁ ସମାଜରେ ସେବା ଓ ସମର୍ପଣର ଭାବନା ବଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ।
ରାଜ୍ୟସଭା ସାଂସଦ ମନମୋହନ ସାମଲ ମଧ୍ୟ ରକ୍ତଦାନର ଆବଶ୍ୟକତା ଉପରେ ମତ ରଖିଥିଲେ। କୋଭିଡ୍-୧୯ ପରେ ରକ୍ତଭଣ୍ଡାରଗୁଡ଼ିକରେ ଦେଖାଦେଇଥିବା ଅଭାବକୁ ପୂରଣ କରିବାରେ ଏଭଳି ଶିବିର ସହାୟକ ହୋଇପାରିବ ବୋଲି ସେ କହିଥିଲେ।
