ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧୀନ ଗଡ଼କଣ ଅଞ୍ଚଳର ଓମ୍ ସାଇ ବିହାରରେ ଶନିବାର ଦିନଦ୍ୱିପ୍ରହରରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ସମ୍ପର୍କକୁ କେନ୍ଦ୍ର କରି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ମୃତକଙ୍କ ନାମ ସୁଶୀଲ କୁମାର ସିଂହ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ନୀଳକଣ୍ଠ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କ ବୟସ ୪୫ ବର୍ଷ ବୋଲି ସୂଚନା ମିଳିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସୁଶୀଲ କୁମାର ସିଂହ ନିକଟସ୍ଥ ଏକ ମନ୍ଦିରରୁ ଘରକୁ ଫେରୁଥିବା ବେଳେ ନୀଳକଣ୍ଠ ତାଙ୍କୁ ପିଛା କରି ଆପାର୍ଟମେଣ୍ଟ ପରିସର ଭିତରେ ଆକ୍ରମଣ କରିଥିଲେ। ଛୁରିରେ ବାରମ୍ବାର ଆକ୍ରମଣ କରିବା ଫଳରେ ସୁଶୀଲ ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପୋଲିସର ସନ୍ଦେହ ଅନୁସାରେ, ନୀଳକଣ୍ଠ ନିଜ ପତ୍ନୀ ଓ ସୁଶୀଲଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା କୁହାଯାଉଛି। ଘଟଣା ପରେ ନୀଳକଣ୍ଠ ନିଜ ଘରେ ଲୁଚି ରହିଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା।
ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ଏବଂ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଏହାସହ ଏକ ବୈଜ୍ଞାନିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି।
ଏପଟେ ନୀଳକଣ୍ଠଙ୍କ ପତ୍ନୀ ମଧ୍ୟ ମୃତକ ସୁଶୀଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରାୟ ଛଅ ମାସ ପୂର୍ବେ ସୁଶୀଲ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ପରେ ପ୍ରତିଶ୍ରୁତି ପାଳନ କରିନଥିଲେ।
ମହିଳା ଆହୁରି ଦାବି କରିଛନ୍ତି ଯେ, ତାଙ୍କ ସ୍ୱାମୀ ଏହି ଘଟଣା ବିଷୟରେ ଜାଣିବା ପରେ ଉଭୟଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିଲା। ଦୁଇ ଦିନ ପୂର୍ବରୁ ସୁଶୀଲ ନୀଳକଣ୍ଠଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି।
ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ଯାଞ୍ଚ କରୁଛି ପୋଲିସ। ପରକୀୟା ସମ୍ପର୍କ, ପୂର୍ବ ବିବାଦ ଏବଂ ଅନ୍ୟାନ୍ୟ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ପୋଲିସ କହିଛି, ବିସ୍ତୃତ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
