Home Odishaକେନ୍ଦ୍ର-ରାଜ୍ୟ ସମନ୍ୱୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବ ଆହୁରି ସୁଦୃଢ଼: ମୁଖ୍ୟମନ୍ତ୍ରୀ

କେନ୍ଦ୍ର-ରାଜ୍ୟ ସମନ୍ୱୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବ ଆହୁରି ସୁଦୃଢ଼: ମୁଖ୍ୟମନ୍ତ୍ରୀ

by Gulshan Pandey
0 comments

ଭୁବନେଶ୍ୱର, ୨୪ ଜୁନ୍: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟରେ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ସାମାଜିକ କଲ୍ୟାଣ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଇ ଜନହିତକର କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ବୟନ ସୁନିଶ୍ଚିତ କରାଯିବ। ଏହା ଦ୍ୱାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସାମାଜିକ ସୁରକ୍ଷା ଓ କଲ୍ୟାଣ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ ଯେ, ମଧୁବାବୁ ପେନସନ ଯୋଜନାରେ ଅତିରିକ୍ତ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେ ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ପ୍ରଶଂସା କରିବା ସହ ସାମାଜିକ ନ୍ୟାୟ ଓ ଦୁର୍ବଳ ବର୍ଗଙ୍କ ସଶକ୍ତିକରଣ ଦିଗରେ କେନ୍ଦ୍ର ସରକାରଙ୍କ ସହଯୋଗ ଜାରି ରହିବ ବୋଲି ଆଶ୍ୱାସନ ଦେଇଥିଲେ।

ଏହି ସାକ୍ଷାତକାର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମାଜିକ କଲ୍ୟାଣ କ୍ଷେତ୍ରରେ ସମନ୍ୱୟ ଏବଂ ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି।

You may also like

Leave a Comment