Home Featuredଦକ୍ଷତା ବିକାଶରେ ଓଡ଼ିଶାର ମଡେଲ୍‌: ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନୀତି ଆୟୋଗର ପ୍ରଶଂସା

ଦକ୍ଷତା ବିକାଶରେ ଓଡ଼ିଶାର ମଡେଲ୍‌: ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନୀତି ଆୟୋଗର ପ୍ରଶଂସା

by Sunita Jena
0 comments

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ମାନବ ସମ୍ବଳର ଦକ୍ଷତା ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ଏବଂ ନିଯୁକ୍ତି ସୁଯୋଗ ସହ ଦକ୍ଷତାକୁ ଯୋଡ଼ିବା ଦିଗରେ ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ମଡେଲ୍‌ ଭାବେ ଉଭା ହୋଇଛି। ଏହି ପ୍ରୟାସକୁ ନୀତି ଆୟୋଗ ମଧ୍ୟ ନିଜ ରିପୋର୍ଟରେ ପ୍ରଶଂସା କରିଛନ୍ତି। ନିକଟରେ ନୀତି ଆୟୋଗ ପକ୍ଷରୁ ‘ରିଇମାଜିନିଂ ସ୍କିଲିଂ’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ କେଉଁଭଳି ପରିବର୍ତ୍ତନ ଆବଶ୍ୟକ, ରିପୋର୍ଟରେ ସେନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି। ଏଥିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଏକ ଅନୁକରଣୀୟ ମଡେଲ୍‌ ଭାବେ ଦର୍ଶାଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଯୁବପିଢ଼ିଙ୍କୁ ଶିଳ୍ପ ଜଗତର ବର୍ତ୍ତମାନ ଓ ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଆଧୁନିକ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ବିଶ୍ୱସ୍ତରୀୟ ଲାବୋରେଟୋରି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ୍‌ ତାଲିମର ସୁଯୋଗ ମିଳୁଛି। ଏହାଦ୍ୱାରା ଶିକ୍ଷା ସହ ବାସ୍ତବ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ହାସଲ କରିବାର ସୁଯୋଗ ମିଳୁଛି। ନୀତି ଆୟୋଗର ରିପୋର୍ଟକୁ ସ୍ୱାଗତ କରି ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି ଯେ ଭୁବନେଶ୍ୱରର ଏହି ମଡେଲ୍‌କୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ଆଗାମୀ ଦିନରେ ସମ୍ବଲପୁର ଓ ବ୍ରହ୍ମପୁରରେ ଆଉ ଦୁଇଟି ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବ।

ନୂଆ କ୍ୟାମ୍ପସଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ଶିଳ୍ପ ଓ ନିଯୁକ୍ତିର ଚାହିଦାକୁ ଆଧାର କରି ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ। ସମ୍ବଲପୁର କେନ୍ଦ୍ରରେ ଆଗ୍ରିଟେକ୍‌, ଅକ୍ଷୟ ଶକ୍ତି ଏବଂ ରିଟେଲିଂ ଭଳି କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଯୋଜନା ରହିଛି। ସେହିପରି ବ୍ରହ୍ମପୁର କ୍ୟାମ୍ପସରେ ମରିନ୍‌ ଟେକ୍ନୋଲୋଜି, ଅଣ୍ଡରୱାଟର୍‌ ୱେଲ୍ଡିଂ ଏବଂ ହେଲ୍ଥକେୟାର ଆସିଷ୍ଟାଣ୍ଟ ଭଳି ବିଷୟ ସ୍ଥାନ ପାଇବ। ଭୁବନେଶ୍ୱରସ୍ଥିତ କେନ୍ଦ୍ରରେ ମଧ୍ୟ ଆଗାମୀ ଦିନରେ ସେମିକଣ୍ଡକ୍ଟର ଓ ଏଭିଏସନ୍‌ କ୍ଷେତ୍ର ସହ ଜଡ଼ିତ ତାଲିମ ଆରମ୍ଭ କରିବାକୁ ଯୋଜନା ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ଯୁବକଯୁବତୀଙ୍କ ପାଖରେ ନୂଆ ଓ ଚାହିଦାସମ୍ପନ୍ନ କୌଶଳ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି।

ଏହାସହ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ସମ୍ପର୍କ ମଜଭୁତ କରିବା ଦିଗରେ ମଧ୍ୟ ବିଶ୍ୱ ଦକ୍ଷତା କେନ୍ଦ୍ର ପଦକ୍ଷେପ ନେଇଛି। ବିଭିନ୍ନ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସହ ନିକଟରେ ୨୫ଟି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଶିଳ୍ପର ଚାହିଦା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଏହି ସହଭାଗିତାର ମୁଖ୍ୟ ଉଦ୍ଦେଶ୍ୟ। ନୀତି ଆୟୋଗର ରିପୋର୍ଟରେ ମଧ୍ୟ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ଜୋର୍‌ ଦିଆଯାଇଛି। ଶିଳ୍ପ ସଂସ୍ଥାଗୁଡ଼ିକର ସହଯୋଗରେ ପ୍ରଶିକ୍ଷଣ, ଆପ୍ରେଣ୍ଟିସ୍‌ସିପ୍‌ ଏବଂ ‘ଶିଖିବା ସହ ରୋଜଗାର’ ଭଳି ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାକୁ ଏଥିରେ ସୁପାରିସ୍‌ କରାଯାଇଛି।

ସେହିପରି ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ଘୋଷିତ ‘ଷ୍ଟେଟ୍‌ ସ୍କିଲ୍ସ ଟ୍ରାନ୍ସଫର୍ମେସନ୍‌’ ପାଇଲଟ୍‌ କାର୍ଯ୍ୟକ୍ରମ ପାଇଁ ମନୋନୀତ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ସାମିଲ ହୋଇଛି। ଦେଶର ଦକ୍ଷତା ବିକାଶ କ୍ଷେତ୍ରରେ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’କୁ ମଧ୍ୟ ନୀତି ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ପଦକ୍ଷେପ ଭାବେ ଉଲ୍ଲେଖ କରିଛନ୍ତି।

You may also like

Leave a Comment