Home Featuredବୋଟ୍‌ରେ ଗଲେ, କାଦୁଅ ରାସ୍ତାରେ ଚାଲିଲେ, ରିଲିଫ୍ ଖାଦ୍ୟର ମାନ ବି ଦେଖିଲେ

ବୋଟ୍‌ରେ ଗଲେ, କାଦୁଅ ରାସ୍ତାରେ ଚାଲିଲେ, ରିଲିଫ୍ ଖାଦ୍ୟର ମାନ ବି ଦେଖିଲେ

by Lokanath Panigrahi
0 comments

ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଜୟପୁର: ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶମାର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳ ନିରୀକ୍ଷଣଠାରୁ ଆରମ୍ଭ କରି ବୋଟ୍‌ରେ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚିବା ଏବଂ କାଦୁଅ ରାସ୍ତାରେ ଚାଲି ଲୋକଙ୍କ ସହ ଆଲୋଚନା କରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ପ୍ରଭାବିତ ଲୋକଙ୍କ ସ୍ଥିତି ଉପରେ ଗୁରୁତ୍ୱ ଦିଆଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରଥମେ ଆକାଶମାର୍ଗରେ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁରର ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ଗଞ୍ଜାମ-କନ୍ଧମାଳ ସୀମାରେ ଥିବା କଳିଙ୍ଗା ଘାଟିର ପରିସ୍ଥିତି ମଧ୍ୟ ଦେଖିଥିଲେ। ଲଗାଣ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ ଏକାଧିକ ଥର ଭୂସ୍ଖଳନ ହୋଇଥିବାରୁ ସେଠାକାର ସ୍ଥିତି ଉପରେ ବିଶେଷ ନଜର ରଖାଯାଇଛି।

ଏହାପରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାର କୋଟପାଡ ଅଞ୍ଚଳ ଗସ୍ତ କରିଥିଲେ। ଗଭୀର ଅବପାତଜନିତ ବର୍ଷା ପରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ବାହ୍ୟ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ଜୟପୁରରୁ ସଡ଼କପଥରେ କୋଟପାଡ ଯିବା ପରେ ମୁଖ୍ୟମନ୍ତ୍ରୀ ବୋଟ୍‌ ଯୋଗେ ଜଳଘେରରେ ଥିବା ଚାନ୍ଦିଲି ଗାଁରେ ପହଞ୍ଚିଥିଲେ।

ଚାନ୍ଦିଲିରେ ପହଞ୍ଚିବା ପରେ ସେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। କାଦୁଅ ରାସ୍ତା ଦେଇ ଚାଲି ଆଶ୍ରୟସ୍ଥଳୀରେ ପହଞ୍ଚିବା ସହ ବନ୍ୟା ବିପନ୍ନଙ୍କ ସମସ୍ୟା ଶୁଣିଥିଲେ। ଚାନ୍ଦିଲି ହାଇସ୍କୁଲରେ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ସେ ରିଲିଫ୍‌, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ରିଲିଫ୍ କେନ୍ଦ୍ରରେ ବିପନ୍ନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଗୁଣବତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଯାଞ୍ଚ କରିଥିଲେ। ସେଠାରେ ପରଷାଯାଉଥିବା ଖାଦ୍ୟକୁ ନିଜେ ଖାଇ ଏହାର ମାନ ପରଖିଥିଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ।

ଗସ୍ତ ପରେ ଜୟପୁର ବିମାନବନ୍ଦରରେ ବନ୍ୟା ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ରାଜସ୍ୱ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ସହ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ବନ୍ୟା ପ୍ରଭାବିତ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବା, ଆବଶ୍ୟକ ସ୍ଥାନରେ ପାନୀୟ ଜଳ ଓ ଚିକିତ୍ସା ସେବା ପହଞ୍ଚାଇବା ଏବଂ ରିଲିଫ୍ ସାମଗ୍ରୀ ବଣ୍ଟନକୁ ଅଧିକ ଗତିଶୀଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ। ପ୍ରଭାବିତ ଲୋକଙ୍କ ନିକଟରେ ପ୍ରଶାସନିକ ସହାୟତା ଯେପରି ତୁରନ୍ତ ପହଞ୍ଚେ, ସେନେଇ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

କୋରାପୁଟ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନବରଙ୍ଗପୁର ଅଭିମୁଖେ ଯାଇ ସେଠାକାର ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ମଧ୍ୟ ପରଖିଥିଲେ।

You may also like

Leave a Comment