ମୟୂରଭଞ୍ଜରେ ଦୁଇ ଅଡିଟ୍ ଅଧିକାରୀଙ୍କ ନିକଟରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ଘଟଣା ଏବେ ଚର୍ଚ୍ଚାରେ। ଚଳିତ ମାସ ୧୦ ତାରିଖ ବିଳମ୍ବିତ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଭିଜିଲାନ୍ସ ଦୁଇ ଅଡିଟରଙ୍କୁ ଧରିଥିଲା। ସେମାନଙ୍କ ପାଖରୁ ନଗଦ ଟଙ୍କା ସହ ଏକ ଗାଡ଼ି ମଧ୍ୟ ଜବତ ହୋଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଓ ହଷ୍ଟେଲ୍ ଦାୟିତ୍ୱରେ ଥିବା କର୍ମଚାରୀମାନେ ଏହି ଟଙ୍କା ଅଡିଟରଙ୍କୁ ଦେଇଥିବା ଜଣାପଡ଼ିଛି। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ବିଭାଗୀୟ ସୂଚନା ଅନୁସାରେ, ଦୁଇ ଅଡିଟର ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ସହିତ ମାତ୍ର ୪ଟି ସ୍କୁଲର ଅଡିଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲେ। ତେବେ ଏତେ ସଂଖ୍ୟକ ସ୍କୁଲର ପ୍ରଧାନଶିକ୍ଷକ ଓ ହଷ୍ଟେଲ୍ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ କାହା ନିର୍ଦ୍ଦେଶରେ କାର୍ଯ୍ୟାଳୟକୁ ଆସିଥିଲେ, ଏବଂ ଏଥିପାଇଁ ପ୍ରଶାସନିକ ଅନୁମତି ଥିଲା କି ନାହିଁ—ତାହାକୁ ନେଇ ତଦନ୍ତର ଆବଶ୍ୟକତା ଦେଖାଦେଇଛି। କିଛି ପ୍ରଧାନଶିକ୍ଷକ ଓ ହଷ୍ଟେଲ୍ ତତ୍ତ୍ୱାବଧାରକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଫୋନ୍ ଯୋଗେ ସେମାନଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା। ତେବେ ଏହି ଦାବି ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି ଯେ, ଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ଅବଗତ କରାଯିବ ଏବଂ ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ କରାଯିବ। ଅନ୍ୟପଟେ ଘଟଣାର ନିରପେକ୍ଷ ତଦନ୍ତ ଦାବି ଜୋରଦାର ହୋଇଛି। ଭଞ୍ଜସେନା ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦିଆଯାଇ ତଦନ୍ତ ଦାବି କରାଯାଇଛି। ମାସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ମଧ୍ୟ ଘଟଣାର ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି।
ମୟୂରଭଞ୍ଜ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଜାତିବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସଂଖ୍ୟକ ଆବାସିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ଚାଲିଛି। ଜିଲ୍ଲା ମଙ୍ଗଳ ବିଭାଗର ଅଧୀନରେ ପ୍ରାୟ ୧୦୦ରୁ ୧୦୪ଟି ସରକାରୀ ଆବାସିକ ବିଦ୍ୟାଳୟ ଥିବାବେଳେ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟ ରହିଛି। ବିଭିନ୍ନ ବିଭାଗୀୟ ସ୍କୁଲ ସହ ଜଡ଼ିତ ହଷ୍ଟେଲ ଏବଂ ଅନ୍ୟ ସରକାରୀ ବିଦ୍ୟାଳୟରେ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ଥିବା ହଷ୍ଟେଲକୁ ମିଶାଇ ଜିଲ୍ଲାରେ ମୋଟ ୭୫୦ରୁ ଅଧିକ ଛାତ୍ରାବାସ ଚାଲିଛି। ଏସବୁ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ୭୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହି ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ବିଶାଳ ବ୍ୟବସ୍ଥା ମଧ୍ୟରେ ଅଡିଟରଙ୍କ ନିକଟରୁ ଏତେ ପରିମାଣର ଟଙ୍କା ଜବତ ହେବା ଘଟଣା ତଦନ୍ତର ଗୁରୁତ୍ୱକୁ ବଢ଼ାଇ ଦେଇଛି।
