ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗ ପ୍ରଣାଳୀ ଆହୁରି ଘନୀଭୂତ ହେବାର ସମ୍ଭାବନା ଥିବାରୁ ମଙ୍ଗଳବାରଠାରୁ ଓଡ଼ିଶାରେ ବର୍ଷା ବଢ଼ିପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (RMC) ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ଏହି ପାଣିପାଗ ପ୍ରଣାଳୀ ଉତ୍ତର ଆଣ୍ଡାମାନ ସାଗରରୁ ମଧ୍ୟ ବଙ୍ଗୋପସାଗର ଆଡ଼କୁ ଗତି କରିବା ସହ ସୋମବାର ସୁଦ୍ଧା ଅବପାତରେ ପରିଣତ ହୋଇପାରେ। ତେବେ ବର୍ତ୍ତମାନ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ।
ମଙ୍ଗଳବାର ସୁଦ୍ଧା ଗଭୀର ଅବପାତର ରୂପ ନେଇପାରେ
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହି ପାଣିପାଗ ପ୍ରଣାଳୀ ମଙ୍ଗଳବାର ସୁଦ୍ଧା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ।
ସେପ୍ଟେମ୍ବର ୨୩ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ।
ଏହାର ପ୍ରଭାବରେ ସେପ୍ଟେମ୍ବର ୨୩ରୁ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ସେହି ଦିନ ପାଇଁ ୨୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।
୬ ଜିଲ୍ଲାକୁ ରେଡ୍ ଆଲର୍ଟ
ସେପ୍ଟେମ୍ବର ୨୩ରୁ ୨୫ ତାରିଖ ମଧ୍ୟରେ କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ପୁରୀ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।
ଏହି ସମୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିପାରେ। ବର୍ଷାକୁ ନଜରରେ ରଖି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଯାଇଛି।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ
ପାଣିପାଗ ପ୍ରଣାଳୀର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ଆସନ୍ତାକାଲିଠାରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି।
ବର୍ତ୍ତମାନ ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ପାଣିପାଗ ବିଭାଗ ନଜର ରଖିଛି।
