Home Featuredମହାନଦୀରେ ଛୋଟ ବନ୍ୟା, ୨୬ ଗେଟ୍‌ରେ ଜଳ ନିଷ୍କାସନ; ମୁଣ୍ଡୁଳିରେ ୭.୫୪ ଲକ୍ଷ କ୍ୟୁସେକ୍

ମହାନଦୀରେ ଛୋଟ ବନ୍ୟା, ୨୬ ଗେଟ୍‌ରେ ଜଳ ନିଷ୍କାସନ; ମୁଣ୍ଡୁଳିରେ ୭.୫୪ ଲକ୍ଷ କ୍ୟୁସେକ୍

by Lokanath Panigrahi
0 comments

ଭୁବନେଶ୍ୱର: ମହାନଦୀରେ ଦେଖାଦେଇଛି ଛୋଟ ବନ୍ୟା। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା କମିଥିବାରୁ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୮୨ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୯୫ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ଅନ୍ୟପଟେ, ମୁଣ୍ଡୁଳି ଦେଇ ପ୍ରାୟ ୭ ଲକ୍ଷ ୫୪ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି।

ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କୁଆଖାଇ ଓ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ପାଉଛି।

ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ ଆଂଶିକ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। କଟକ ଜିଲ୍ଲାର ବାଙ୍କୀ, ବଡ଼ମ୍ବା ଓ ଆଠଗଡ଼ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଚାଷ ଜମିରେ ପାଣି ଜମିବା ସହ କିଛି ଅଞ୍ଚଳ ଜଳମଗ୍ନ ହୋଇଛି।

ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ବ୍ରହ୍ମଗିରି, ନିମାପଡ଼ା ଓ ଗୋପ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଓ ତିର୍ତ୍ତୋଲ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର ଅଞ୍ଚଳରେ ବନ୍ୟା ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି।

ବର୍ତ୍ତମାନ ସ୍ଥିତି ଉପରେ ଜଳ ସମ୍ପଦ ବିଭାଗ ନଜର ରଖିଛି। ନଦୀଗୁଡ଼ିକର ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ବନ୍ୟା ଆଶଙ୍କା ବଢ଼ିଛି।

You may also like

Leave a Comment