ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ଲୀଳା ଚାଲିଥିବା ବେଳେ ପରମ୍ପରା ଅନୁଯାୟୀ ତାଙ୍କ ଆରୋଗ୍ୟ କାମନାରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଦଶମୂଳ ମୋଦକ। ପ୍ରାୟ ଦୁଇ ମାସ ଧରି ଚାଲିଥିବା ପ୍ରସ୍ତୁତି ପରେ ଆଜି ରାଜବୈଦ୍ୟ ଏହି ଦଶମୂଳ ମୋଦକକୁ ଶ୍ରୀମନ୍ଦିର ଗାରଦରେ ବିଧିବଦ୍ଧ ଭାବେ ଜମା ଦେଇଛନ୍ତି।
ପ୍ରାଚୀନ ଆୟୁର୍ବେଦିକ ପରମ୍ପରା ଅନୁଯାୟୀ ପାଞ୍ଚଟି ବୃହତ୍ ଓ ପାଞ୍ଚଟି କ୍ଷୁଦ୍ର ଔଷଧୀୟ ବୃକ୍ଷର ମୂଳ ଓ ଚେରକୁ ନେଇ ଦଶମୂଳ ପ୍ରସ୍ତୁତ କରାଯାଇଥାଏ। ଏଥିରେ ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣୀ, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ନବାଙ୍କୁରୀ, ଗୋଖର ଓ ପାଟେଳୀ ଭଳି ଔଷଧୀୟ ଚେରମୂଳ ବ୍ୟବହୃତ ହୋଇଛି। ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ଏହି ମୂଳଗୁଡ଼ିକୁ ଖରାରେ ଭଲଭାବେ ଶୁଖାଇ ପରେ ହେମଦସ୍ତାରେ କୁଟି ସୂକ୍ଷ୍ମ ଚୂର୍ଣ୍ଣ ପ୍ରସ୍ତୁତ କରାଯାଇଥିଲା।
ଏହି ପ୍ରସ୍ତୁତିରେ ରାଜବୈଦ୍ୟଙ୍କ ପରିବାର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ। ପରେ ସେହି ଦଶମୂଳ ଚୂର୍ଣ୍ଣକୁ କ୍ଷୀର, ମହୁ, ଚିନି, ଖୁଆ, ସର, ଘିଅ ଓ ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀ ସହ ମିଶାଇ ବିଧିବଦ୍ଧ ଭାବେ ପାକ କରାଯାଇଥିଲା। ପାକ ଥଣ୍ଡା ହେବା ପରେ ଗୋଳାକାର ଆକୃତିରେ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥିଲା।
ଆଜି ରାଜବୈଦ୍ୟ ସ୍ୱୟଂ ଶ୍ରୀମନ୍ଦିରକୁ ଯାଇ ଏହି ମୋଦକକୁ ଗାରଦ କମାଣ୍ଡରଙ୍କ ନିକଟରେ ଜମା ଦେଇଛନ୍ତି। ରାଜବୈଦ୍ୟଙ୍କ ସୂଚନା ଅନୁସାରେ, ଶ୍ରୀକ୍ଷେତ୍ରର ସାତଟି ରାଜବୈଦ୍ୟ ପରିବାର ପିଢ଼ି ପରମ୍ପରାରେ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଯୋଗାଇ ଆସୁଛନ୍ତି। ପ୍ରତିବର୍ଷ ପ୍ରାୟ ଦୁଇ ମାସ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ବିଧି ଓ ପରମ୍ପରାକୁ ଅନୁସରଣ କରାଯାଏ।
ଶ୍ରୀମନ୍ଦିରର ନୀତି ଅନୁଯାୟୀ, ପତି ମହାପାତ୍ରଙ୍କ ଦ୍ୱାରା ସଂସ୍କାର ସମ୍ପନ୍ନ ହେବା ପରେ ଏହି ଦଶମୂଳ ମୋଦକ ମହାପ୍ରଭୁଙ୍କୁ ନିବେଦନ କରାଯିବ। ପାରମ୍ପରିକ ବିଶ୍ୱାସ ଅନୁସାରେ, ଏହି ଔଷଧୀୟ ମୋଦକ ସେବନ ପରେ ମହାପ୍ରଭୁ ଆରୋଗ୍ୟ ଲାଭ କରି ଅଣସର ଶେଷରେ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ପ୍ରଦାନ କରିଥାନ୍ତି।
