ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଗୁଆହାଟୀରେ ଖେଳାଯିବ। ପ୍ରଥମ ମୁକାବିଲାରେ ଭାରତ ୮ ୱିକେଟ୍ରେ ବିଜୟୀ ହୋଇଥିବାରୁ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍ ନିଜ ନାମରେ କରିବା ଭାରତର ଲକ୍ଷ୍ୟ ରହିବ। ପ୍ରଥମ ମ୍ୟାଚ୍ରେ ଅଧିନାୟକ ଶୁବମନ ଗିଲ୍ ଓ ବିରାଟ କୋହଲିଙ୍କ ଶତକୀୟ ପାଳି ଭାରତୀୟ ଦଳର ବ୍ୟାଟିଂ ଶକ୍ତିକୁ ଦର୍ଶାଇଥିଲା। ତେବେ ବୋଲିଂ ବିଭାଗରେ ଦଳକୁ କିଛି ପରୀକ୍ଷା ନିରୀକ୍ଷା କରିବାକୁ ପଡ଼ିପାରେ। ବିଶେଷକରି ପେସ୍ ବୋଲିଂରେ ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ନଥିବାରୁ ବିକଳ୍ପ ଖେଳାଳିଙ୍କ ଉପରେ ନଜର ରହିବ।
ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ଫେରାଇବା କିମ୍ବା ଆକ୍ବିବ ନବିଙ୍କୁ ଦିନିକିଆ ପଦାର୍ପଣର ସୁଯୋଗ ଦେବା ନେଇ ଚର୍ଚ୍ଚା ରହିଛି। ବ୍ୟାଟିଂରେ ରୋହିତ ଶର୍ମାଙ୍କ ଉପରେ ମଧ୍ୟ ନଜର ରହିବ। ପ୍ରଥମ ମ୍ୟାଚ୍ରେ ସେ ୩୨ ରନ୍ କରିଥିଲେ।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ସିରିଜ୍ରେ ରହିବାକୁ ଦଳକୁ ଗୁଆହାଟୀରେ ବିଜୟ ଆବଶ୍ୟକ। ପ୍ରଥମ ମ୍ୟାଚ୍ରେ ଓପନର୍ ଜଷ୍ଟିନ୍ ଗ୍ରିଭ୍ସ ଶତକ ହାସଲ କରିବା ୱେଷ୍ଟଇଣ୍ଡିଜ୍ ପାଇଁ ଏକ ସକାରାତ୍ମକ ଦିଗ ରହିଛି। ଆଗାମୀ ବିଶ୍ୱକପ୍ ଯୋଗ୍ୟତାକୁ ଦୃଷ୍ଟିରେ ରଖି ଦଳକୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ପଡ଼ିବ। ଗୁଆହାଟୀ ମ୍ୟାଚ୍ରେ ଭାରତ ସିରିଜ୍ ନିଶ୍ଚିତ କରିବାକୁ ଚେଷ୍ଟା କରିବା ବେଳେ ୱେଷ୍ଟଇଣ୍ଡିଜ୍ ସିରିଜ୍କୁ ରୋମାଞ୍ଚକ ସ୍ଥିତିକୁ ନେବା ପାଇଁ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।
