Home Odishaପୁରୀରେ ନିର୍ମାଣ ହେବ ‘ପତିତପାବନ ଭକ୍ତ ନିବାସ’

ପୁରୀରେ ନିର୍ମାଣ ହେବ ‘ପତିତପାବନ ଭକ୍ତ ନିବାସ’

by Sunita Jena
0 comments

ପୁରୀ ଶ୍ରୀକ୍ଷେତ୍ରକୁ ଆସୁଥିବା ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆଉ ଏକ ବଡ଼ ସୁବିଧା ଯୋଡ଼ି ହେବାକୁ ଯାଉଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏକ ଭକ୍ତ ନିବାସ ନିର୍ମାଣ କରାଯିବ। ଏହାର ନାମ ‘ପତିତପାବନ ଭକ୍ତ ନିବାସ’ ରଖିବାକୁ ନିଷ୍ପତ୍ତି ହୋଇଛି।

ବଡ଼ଦାଣ୍ଡରେ ଥିବା ନୀଳାଦ୍ରି ଭକ୍ତ ନିବାସର ପଛପଟେ ଶ୍ରୀମନ୍ଦିର ପ୍ରଶାସନର ଜମିରେ ଏହି ନୂତନ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ଜମିର ଉନ୍ନତିକରଣ କାମ ଆଗରୁ କରାଯାଇଥିବା ବେଳେ ପ୍ରକଳ୍ପର ଅର୍ଥ ବ୍ୟବସ୍ଥା ପାଇଁ ଅଭଡ଼ା ଯୋଜନାରୁ ପାଣ୍ଠି ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି।

ନୂଆ ଭକ୍ତ ନିବାସରେ ତୀର୍ଥଯାତ୍ରୀଙ୍କ ରହଣି ସହ ସେବକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ସୁବିଧା ରହିବ। ପ୍ରକଳ୍ପର ତଳ ମହଲାରେ ଏକ ଆଧୁନିକ ସମ୍ମିଳନୀ କକ୍ଷ ବା କଲ୍ୟାଣ ମଣ୍ଡପ ଏବଂ ଡିସପେନସେରୀ ନିର୍ମାଣ କରିବାର ଯୋଜନା ରହିଛି। ଫଳରେ ଶ୍ରୀମନ୍ଦିର ସହ ଜଡ଼ିତ ସେବକ ଗୋଷ୍ଠୀଙ୍କୁ ମଧ୍ୟ ଏହାର ସୁବିଧା ମିଳିପାରିବ।

ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରିବ ଓବିସିସି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରକଳ୍ପର ଯୋଜନା ଓ ନିର୍ମାଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏହାସହ ଡିପିଆର୍ ପ୍ରସ୍ତୁତି ଓ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବାକୁ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି। ପୁରୀକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ଆସୁଥିବାରୁ ଏହି ନୂଆ ଭକ୍ତ ନିବାସ ରହଣି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି।

You may also like

Leave a Comment