ପୁରୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଶାସ୍ତ୍ର ନିର୍ଦ୍ଦିଷ୍ଟ ତିଥିରେ ହେବା ଉଚିତ ବୋଲି ପୁଣିଥରେ ମତ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଆୟୋଜିତ ଏକ ବୈଠକରେ ଅ-ତିଥିରେ ରଥଯାତ୍ରା ଆୟୋଜନ ଜାରି ରହିଲେ ପ୍ରୟୋଜନ ପଡ଼ିଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ‘ଐକ୍ୟ ସ୍ଥାପନା ମଣ୍ଡଳୀ’ର ବୈଠକରେ ରଥଯାତ୍ରା ପରମ୍ପରା, ଶାସ୍ତ୍ରୀୟ ନିୟମ ଏବଂ ଏହାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ମତ ପ୍ରକାଶ ପାଇଥିଲା ଯେ, ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପାଳନ କରିବା ହିଁ ପାରମ୍ପରିକ ଏବଂ ଶାସ୍ତ୍ରସମ୍ମତ ପ୍ରଥା।
ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଏହି ବିଷୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗ ସହ ଆଲୋଚନା କରାଯିବ। ଏହା ସହ ସମ୍ପୃକ୍ତ ଧାର୍ମିକ ସଂଗଠନର କର୍ତ୍ତୃପକ୍ଷଙ୍କୁ ପୁନର୍ବାର ପତ୍ର ଲେଖି ଶାସ୍ତ୍ର ନିର୍ଦ୍ଦିଷ୍ଟ ତିଥି ଅନୁଯାୟୀ ଉତ୍ସବ ପାଳନ କରିବାକୁ ଅନୁରୋଧ କରାଯିବ।
ଗଜପତି ମହାରାଜ କହିଛନ୍ତି ଯେ, ଭାରତ ମଧ୍ୟରେ ଅ-ତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନ କରିବାକୁ ସମ୍ପୃକ୍ତ ସଂଗଠନ ପୂର୍ବରୁ ଲିଖିତ ଭାବେ ଜଣାଇଥିଲା। ତେବେ ବିଦେଶର ବିଭିନ୍ନ ସ୍ଥାନରେ ଆଗାମୀ ମାସଗୁଡ଼ିକରେ ଅ-ତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ହେବାକୁ ଥିବା ସୂଚନାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି।
ଏହି ପରିପ୍ରେକ୍ଷୀରେ ସମସ୍ତ ଜଗନ୍ନାଥ ଭକ୍ତ, ମନ୍ଦିର ପରିଚାଳନା କମିଟି ଓ ସନାତନ ପରମ୍ପରା ସହ ଜଡ଼ିତ ଲୋକମାନଙ୍କୁ ଶାସ୍ତ୍ରସମ୍ମତ ପରମ୍ପରା ପାଳନ ପ୍ରତି ସଚେତନ ହେବାକୁ ଆହ୍ୱାନ କରାଯାଇଛି।
ବୈଠକରେ ଏହା ମଧ୍ୟ ଜଣାଯାଇଛି ଯେ, ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶିତ ହେବାକୁ ଥିବା ବାର୍ଷିକ କ୍ୟାଲେଣ୍ଡରରେ ଉଲ୍ଲେଖିତ ତିଥି ଓ ନୀତିକାନ୍ତିକୁ ଆଧାର କରି ଦେଶର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପର୍ବପର୍ବାଣୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ‘ଐକ୍ୟ ସ୍ଥାପନା ମଣ୍ଡଳୀ’ର ସଦସ୍ୟମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ପରମ୍ପରାର ସୁରକ୍ଷା ଏବଂ ଏହାର ସଠିକ୍ ପାଳନ ନେଇ ନିଜ ମତ ରଖିଥିଲେ।
