Home Cultureପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକ

by Lokanath Panigrahi
0 comments

ଓଡ଼ିଶାର ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଆଜି ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଜାରି ଥିବାବେଳେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଅବନତି ଘଟିଥିଲା। ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।

ସୁଶାନ୍ତ ସିଂହ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶା ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସାଧାରଣ ଲୋକଙ୍କ ସେବା, ସାଙ୍ଗଠନିକ ଦକ୍ଷତା ଓ ବିକାଶମୂଳକ କାର୍ଯ୍ୟ ପାଇଁ ସେ ସର୍ବଦା ପରିଚିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, “ବରିଷ୍ଠ ରାଜନେତା ତଥା ଓଡ଼ିଶା ସରକାରର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେହାନ୍ତ ଖବର ମୋତେ ଅତ୍ୟନ୍ତ ମର୍ମାହତ କରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ଓଁ ଶାନ୍ତି।”

ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି, “ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂହଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ଓ ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ସୁଦୃଢ଼ କରିବା ସହ ଲୋକଙ୍କ ସେବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି।”

ସୁଶାନ୍ତ ସିଂହଙ୍କ ବିୟୋଗରେ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ବିଧାୟକ ଏବଂ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

You may also like

Leave a Comment