ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ପଞ୍ଚାୟତର ଗବାଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ବେକରେ ଓଢଣୀ ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି। ମୃତ ଛାତ୍ରୀ ହେଲେ ସୁନ୍ଦରସିଂ ମେହେରଙ୍କ ଝିଅ ଗିରିଜା ମେହେର।
ପରିବାର ଲୋକଙ୍କ କହିବା ଅନୁସାରେ, ଗିରିଜାଙ୍କୁ ଘର ଭିତରେ ଅଚେତ ଅବସ୍ଥାରେ ଦେଖିବା ପରେ ତୁରନ୍ତ ଉଦ୍ଧାର କରାଯାଇଥିଲା। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଥିଲା। ଘଟଣା ପରେ ପରିବାର ଓ ଗ୍ରାମରେ ଶୋକର ପରିବେଶ ସୃଷ୍ଟି ହୋଇଛି।
ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ସହ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ, ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
କେଉଁ ପରିସ୍ଥିତିରେ ଛାତ୍ରୀ ଏପରି ପଦକ୍ଷେପ ନେଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଘଟଣାର ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ କରୁଛି।
