ଗାନ୍ଧୀ ଜୟନ୍ତୀରୁ ଶିଶୁ ଦିବସ ପର୍ଯ୍ୟନ୍ତ ଚାଲିବ ଅଭିଯାନ; ସ୍କୁଲ୍ରେ ଶିଶୁଙ୍କ ଉପସ୍ଥାନ, ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଓ ପୁନର୍ବାସ ଉପରେ ଫୋକସ୍, ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୪୪ ଦିନିଆ ‘ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ନଭେମ୍ବର ୧୪ ଶିଶୁ ଦିବସ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ଅଭିଯାନରେ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଲୋଡ଼ିଛନ୍ତି।
ଅଭିଯାନର ମୁଖ୍ୟ ଲକ୍ଷ୍ୟ କେବଳ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରିବା ନୁହେଁ, ବରଂ ଶିଶୁମାନଙ୍କୁ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ି ରଖିବା, ସ୍କୁଲ୍ ଛାଡ଼ିବା ପ୍ରବୃତ୍ତି ରୋକିବା ଏବଂ ଶିଶୁ ଶ୍ରମର ମୂଳ କାରଣଗୁଡ଼ିକର ସମାଧାନ କରିବା। ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଅଭିଯାନର ମୁଖ୍ୟ କାର୍ଯ୍ୟାନ୍ୱୟନ ଏକକ ଭାବେ ଗ୍ରହଣ କରାଯାଇଛି।
ଗ୍ରାମସଭା ଓ ପଲ୍ଲୀସଭାରେ ଶିଶୁ ଶ୍ରମ ବିରୋଧରେ ସାମୂହିକ ସଂକଳ୍ପ ନିଆଯିବ। ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ବିଦ୍ୟାଳୟ ଓ ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି, ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ସହ ତୃଣମୂଳସ୍ତରର କର୍ମଚାରୀମାନଙ୍କୁ ସାମିଲ କରାଯିବ। ଅଭିଯାନରେ ସ୍କୁଲ୍ ଛାଡ଼ିଥିବା, ନିୟମିତ ଶ୍ରେଣୀକୁ ଆସୁନଥିବା କିମ୍ବା ଶ୍ରମରେ ନିୟୋଜିତ ହେବାର ଆଶଙ୍କା ଥିବା ଶିଶୁଙ୍କୁ ଚିହ୍ନଟ କରିବାକୁ ବିଶେଷ ଗୁରୁତ୍ୱ ଦିଆଯିବ।
ସରକାର ଏହି ଅଭିଯାନ ପାଇଁ ତିନୋଟି ପ୍ରମୁଖ ରଣନୀତି ଉପରେ ଫୋକସ୍ କରିଛନ୍ତି। ପ୍ରଥମତଃ, ପିଲାମାନଙ୍କୁ ବିଦ୍ୟାଳୟରେ ରଖିବା ଓ ସ୍କୁଲ୍ ଡ୍ରପ୍ଆଉଟ୍ ରୋକିବା ପାଇଁ ବ୍ୟାପକ ସଚେତନତା କରାଯିବ। ଦ୍ୱିତୀୟତଃ, ବିଭିନ୍ନ ବିଭାଗର ମିଳିତ ଏନ୍ଫୋର୍ସମେଣ୍ଟ ଅଭିଯାନ ମାଧ୍ୟମରେ ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଏବଂ ପରବର୍ତ୍ତୀ ପୁନର୍ବାସକୁ ଗୁରୁତ୍ୱ ଦିଆଯିବ। ତୃତୀୟତଃ, ପଞ୍ଚାୟତ ପ୍ରତିନିଧିଙ୍କ ମାଧ୍ୟମରେ ତୃଣମୂଳସ୍ତରରେ ଜନସମ୍ପୃକ୍ତି ବଢ଼ାଯିବ।
ସ୍କୁଲ୍ ମ୍ୟାନେଜମେଣ୍ଟ କମିଟିଗୁଡ଼ିକ ଶିକ୍ଷାରୁ ବାହାରେ ଥିବା ଶିଶୁଙ୍କ ସୂଚନା ଯାଞ୍ଚ କରିବେ। ଚିହ୍ନଟ ପରେ ଶିକ୍ଷକ ଓ କମିଟି ସଦସ୍ୟମାନେ ସମ୍ପୃକ୍ତ ପରିବାର ସହ ଯୋଗାଯୋଗ କରି ପିଲାଙ୍କୁ ପୁଣି ସ୍କୁଲ୍କୁ ଫେରାଇବା ପାଇଁ ପରାମର୍ଶ ଦେବେ। ଶିଶୁ ଶ୍ରମରେ ନିୟୋଜିତ ଥିବା କୌଣସି ପିଲା ଚିହ୍ନଟ ହେଲେ ଶ୍ରମ ବିଭାଗକୁ ସୂଚନା ଦିଆଯିବ ଏବଂ ଆବଶ୍ୟକ କ୍ଷେତ୍ରରେ ଯାଞ୍ଚ ଓ ଆଇନଗତ ପଦକ୍ଷେପ ନିଆଯିବ।
ଏହି ଅଭିଯାନରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ମିଶନ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମଧ୍ୟରେ ସମନ୍ୱୟ ରଖାଯିବ। ନୂଆ ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି ନକରି ବର୍ତ୍ତମାନ ଥିବା ସରକାରୀ ଓ ସାମୁଦାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଅଭିଯାନ ଚାଲିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁ ଶ୍ରମ ଦୂର କରିବା କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ; ଏଥିପାଇଁ ସମାଜର ସାମୂହିକ ଅଂଶଗ୍ରହଣ ଆବଶ୍ୟକ। ପ୍ରତ୍ୟେକ ଶିଶୁ ଯେପରି ଶିକ୍ଷା ପାଇବା ସହ ନିଜ ସ୍ୱପ୍ନ ପୂରଣର ସୁଯୋଗ ପାଇପାରିବ, ସେଥିପାଇଁ ସମସ୍ତେ ମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି।
