ଓଡ଼ିଶାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକୁ ଦ୍ରୁତ ଇଣ୍ଟରନେଟ୍ ସେବା ସହ ଯୋଡ଼ିବା ଦିଗରେ ବିଏସ୍ଏନ୍ଏଲ୍ ପକ୍ଷରୁ ନେଟୱର୍କ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୭୪୧ଟି ନୂଆ ୪ଜି ଟାୱାର ସ୍ଥାପନ କରାଯାଇଥିବାବେଳେ ୨୪୮୭ଟି ଦୁର୍ଗମ ଗ୍ରାମକୁ ୪ଜି ସେବା ସହ ଯୋଡ଼ାଯାଇଛି।ବିଏସ୍ଏନ୍ଏଲ୍ର ଓଡ଼ିଶା ସର୍କଲ୍ ମୁଖ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୭ ମାର୍ଚ୍ଚ ସୁଦ୍ଧା ଆଉ ୮୬୫ଟି ଗାଁରେ ୪ଜି ମୋବାଇଲ୍ ସେବା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଛି। ଏହା ଫଳରେ ରାଜ୍ୟର ଅଧିକ ସଂଖ୍ୟକ ଗ୍ରାମୀଣ ଅଞ୍ଚଳ ଡିଜିଟାଲ୍ ସଂଯୋଗ ବ୍ୟବସ୍ଥାରେ ସାମିଲ ହୋଇପାରିବ।ଓଡ଼ିଶାରେ ବର୍ତ୍ତମାନ ବିଏସ୍ଏନ୍ଏଲ୍ର ପ୍ରାୟ ୫୮୦୦ଟି ଟାୱାର ଏବଂ ୧୬ ହଜାର ବେସ୍ ଷ୍ଟେସନ ରହିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧୦୦୦ଟି ନୂଆ ଟାୱାର ସ୍ଥାପନ ପାଇଁ ଯୋଜନା କରାଯାଇଛି। ବିଶେଷକରି କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଓ କେନ୍ଦୁଝର ଭଳି ଜିଲ୍ଲାର ଗ୍ରାମାଞ୍ଚଳରେ ନୂଆ ଟାୱାର ସ୍ଥାପନକୁ ଗୁରୁତ୍ୱ ଦିଆଯିବ।
ଏହା ସହିତ ଗ୍ରାହକଙ୍କ ପାଇଁ କିଛି ନୂଆ ଟେଲିକମ୍ ଓ ଫାଇବର୍ ଅଫର ମଧ୍ୟ ଘୋଷଣା କରାଯାଇଛି। ‘ଫ୍ରିଡମ୍ ଅଫର’ ଅଧୀନରେ ମାତ୍ର ୧ ଟଙ୍କାରେ ନୂଆ ମୋବାଇଲ୍ ସଂଯୋଗ ପାଇବାର ସୁବିଧା ରହିଛି। ଏହି ପ୍ୟାକେଜ୍ରେ ୨୪ ଦିନ ପାଇଁ ପ୍ରତିଦିନ ୧ ଜିବି ଡାଟା, ୧୦୦ଟି ଏସ୍ଏମ୍ଏସ୍ ଏବଂ ଅସୀମିତ ଭଏସ୍ କଲ୍ର ସୁବିଧା ଦିଆଯାଉଛି।
ସେହିପରି, ଫାଇବର୍ ଗ୍ରାହକଙ୍କ ପାଇଁ ମଧ୍ୟ ‘ଫ୍ରିଡମ୍ ପ୍ଲାନ୍’ ଆଣାଯାଇଛି। ମାସିକ ୧୧୧୧ ଟଙ୍କାର ଏହି ପ୍ଲାନ୍ରେ ୨୦୦ ଏମ୍ବିପିଏସ୍ ଇଣ୍ଟରନେଟ୍ ସ୍ପିଡ୍, ମାସକୁ ୫୦୦୦ ଜିବି ଡାଟା ଏବଂ ୨୫ରୁ ଅଧିକ ପ୍ରିମିୟମ୍ ଓଟିଟି ସେବା ମିଳିବାର ସୁବିଧା ରହିଛି।ଏହି ଅଫରଗୁଡ଼ିକ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୈଧ ରହିବ। ଏହାବ୍ୟତୀତ ବିଏସ୍ଏନ୍ଏଲ୍ ସେଲ୍ଫ କେୟାର ଆପ୍, ଏଣ୍ଟରଟେନ୍ମେଣ୍ଟ ଟିଭି ଏବଂ ସାଟେଲାଇଟ୍ ଫୋନ୍ ସେବା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଡିଜିଟାଲ୍ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହେବ।
