Home Featuredରାଉରକେଲା ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ; ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ; ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

by Lokanath Panigrahi
0 comments

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୭ ଜୁଲାଇ: ରାଉରକେଲା ବିମାନବନ୍ଦରର ଆଧୁନିକୀକରଣ ଓ ବିକାଶ ପାଇଁ କେନ୍ଦ୍ର ସରକାର ମୋଟ ୫୮ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ଅଧୀନରେ ଥିବା ଏହି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ଉଡାନ (UDAN) ଯୋଜନାରେ ସାମିଲ କରାଯାଇ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମହୋଲ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଉଡାନ ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରେ ବିମାନ ସଂଯୋଗ ବୃଦ୍ଧି ସହ ବିମାନବନ୍ଦରର ବିକାଶକୁ ଗୁରୁତ୍ୱ ଦିଆଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଗ୍ରିନଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ନୂତନ ବିମାନବନ୍ଦର ନିର୍ମାଣ ଏବଂ ପୁରୁଣା ବିମାନବନ୍ଦରର ଉନ୍ନତୀକରଣ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।

ସେ ଆହୁରି କହିଛନ୍ତି, କୌଣସି ରାଜ୍ୟ ସରକାର ଯଦି ଗ୍ରିନଫିଲ୍ଡ ବିମାନବନ୍ଦର ସ୍ଥାପନ କରିବାକୁ ଚାହାନ୍ତି, ତେବେ ପ୍ରଥମେ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ବୈଷୟିକ ସମୀକ୍ଷା ସହ ପ୍ରସ୍ତାବ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଇବାକୁ ପଡ଼ିବ। ପ୍ରସ୍ତାବର ଯାଞ୍ଚ ପରେ ଆବଶ୍ୟକ ମନେହେଲେ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଥାନ୍ତି।

ଏହି ପ୍ରସଙ୍ଗରେ ସାଂସଦ ଦିଲ୍ଲୀପ ରାୟ କହିଛନ୍ତି ଯେ, ରାଉରକେଲା ଇସ୍ପାତ କାରଖାନାର ଆଧୁନିକୀକରଣ ସହ ସହରରେ ନୂତନ ଶିଳ୍ପ ପ୍ରତିଷ୍ଠାନ ଗଢ଼ିଉଠୁଛି। ଏହା ଫଳରେ ଦେଶ ଓ ବିଦେଶରୁ ପ୍ରତିଦିନ ବହୁ ସଂଖ୍ୟକ ଶିଳ୍ପପତି, ବିନିଯୋଗକାରୀ ଏବଂ ବ୍ୟବସାୟୀ ରାଉରକେଲାକୁ ଆସୁଛନ୍ତି।

ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ରାଉରକେଲାର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ବିମାନବନ୍ଦରର ଅଧିକ ଉନ୍ନତୀକରଣ ସହ ଦେଶର ପ୍ରମୁଖ ସହରଗୁଡ଼ିକ ସହ ସିଧାସଳଖ ବିମାନ ସେବା ବୃଦ୍ଧି କରାଯିବା ଆବଶ୍ୟକ।

You may also like

Leave a Comment