Home Odisha‘କଳା ଓ କ୍ୟାମେରା’ରେ ଓଡ଼ିଶାର ଐତିହ୍ୟ: ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ସଂସ୍କୃତି ମନ୍ତ୍ରୀ

‘କଳା ଓ କ୍ୟାମେରା’ରେ ଓଡ଼ିଶାର ଐତିହ୍ୟ: ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ସଂସ୍କୃତି ମନ୍ତ୍ରୀ

by Akshay Maharana
0 comments

ପ୍ରଥମ ବିଜେତାଙ୍କୁ ୨୫ ହଜାର, ଦ୍ୱିତୀୟଙ୍କୁ ୧୫ ହଜାର ଓ ତୃତୀୟଙ୍କୁ ୧୦ ହଜାର ଟଙ୍କା; ୫୦୦ରୁ ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ, ଫଟୋଗ୍ରାଫି ମାଧ୍ୟମରେ ଓଡ଼ିଶାର କଳା, ଐତିହ୍ୟ, ସ୍ଥାପତ୍ୟ ଓ ଲୁପ୍ତପ୍ରାୟ ପରମ୍ପରାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଆୟୋଜିତ ‘କଳା ଓ କ୍ୟାମେରା–ଫଟୋଗ୍ରାଫି ପ୍ରତିଯୋଗିତା’ର ବିଜେତାମାନଙ୍କୁ ରବୀନ୍ଦ୍ର ମଣ୍ଡପରେ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ପ୍ରତିଯୋଗିତାରେ ୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ଏକାଡେମୀକୁ ୬୦୦ରୁ ଅଧିକ ଫଟୋଗ୍ରାଫ୍ ମିଳିଥିଲା। ‘Tangible Heritage of Odisha’, ‘Intangible Heritage of Odisha’ ଏବଂ ‘ଓଡ଼ିଶାର ଲୁପ୍ତପ୍ରାୟ କଳା’—ଏହି ତିନୋଟି ଥିମ୍‌କୁ ନେଇ ପ୍ରତିଯୋଗିତା ହୋଇଥିଲା। ଏଥିରୁ ଶ୍ରେଷ୍ଠ ୧୦ଟି ସ୍ଥାନ ହାସଲ କରିଥିବା ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୨୫ ହଜାର, ୧୫ ହଜାର ଓ ୧୦ ହଜାର ଟଙ୍କାର ପୁରସ୍କାର ଦିଆଯାଇଥିଲା। ଚତୁର୍ଥରୁ ଦଶମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

ଦେବଦତ୍ତ ବେହେରାଙ୍କ ‘Whisper of the Mist’ ଫଟୋଗ୍ରାଫ୍ ପ୍ରଥମ ସ୍ଥାନ ହାସଲ କରିଥିଲା। ଅଜୟ ମୋହନ ସାହୁଙ୍କ ‘ପ୍ରତ୍ୟୁଷରେ ମୁକ୍ତେଶ୍ୱର’ ଏବଂ ଚିନ୍ମୟ କୁମାର ନାୟକଙ୍କ ‘ଭଗବାନଙ୍କ ଉପରେ ବିଶ୍ୱାସ’ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଧର୍ମସଂଗ୍ରାମ ଅମାନ୍ତ ତୃତୀୟ ସ୍ଥାନ ହାସଲ କରିଥିଲେ।

ବିଜେତା ଓ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଥିଲେ, ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଐତିହ୍ୟକୁ ଫଟୋଗ୍ରାଫି ମାଧ୍ୟମରେ ଜୀବନ୍ତ କରିବାର ଏହି ପ୍ରୟାସ ପ୍ରଶଂସନୀୟ। ଫଟୋଗ୍ରାଫି କେବଳ ଏକ ଚିତ୍ରକୁ ଧରି ରଖେନାହିଁ, ଏହା ସମୟ, ସଂସ୍କୃତି ଓ ପରମ୍ପରାର ଏକ ଦୃଶ୍ୟମାନ ଦଲିଲ ଭାବେ ମଧ୍ୟ କାର୍ଯ୍ୟ କରିଥାଏ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।

ବିଜେତା ଚୟନ ପାଇଁ ବିଶିଷ୍ଟ ଫଟୋଗ୍ରାଫର ପ୍ରଫୁଲ୍ଲ ଚନ୍ଦ୍ର ଧୀର, ସୁରେନ୍ଦ୍ର କୁମାର ସାହୁ, ଦିଲୀପ କୁମାର, ଧୀରସାମନ୍ତ ଓ ଆଶିଷ କୁମାର ଜେନାଙ୍କୁ ନେଇ ଏକ ଜୁରୀ କମିଟି ଗଠନ କରାଯାଇଥିଲା। ସମାରୋହରେ ଜୁରୀ ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ରବୀନ୍ଦ୍ର ମଣ୍ଡପରେ ‘କଳା ଓ କ୍ୟାମେରା–ଆମ କଳା ଆମ ଅସ୍ମିତା’ ଶୀର୍ଷକ ଏକ ଫଟୋ ପ୍ରଦର୍ଶନୀକୁ ମନ୍ତ୍ରୀ ଉଦଘାଟନ କରିଥିଲେ। ପ୍ରଦର୍ଶନୀରେ ପ୍ରତିଯୋଗିତାର ଶ୍ରେଷ୍ଠ ଫଟୋଗ୍ରାଫ୍‌ଗୁଡ଼ିକ ସ୍ଥାନ ପାଇଥିଲା।

କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ ଡ. ଦେବଯାନୀ ଭୂୟାଁ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ. ଚନ୍ଦ୍ର ଶେଖର ହୋତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

You may also like

Leave a Comment