Home Featuredମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ

by Lokanath Panigrahi
0 comments

ମୁକ୍ତେଶ୍ୱର ପ୍ରାଙ୍ଗଣରେ ଜଳିଲା ୧୧ ହଜାରରୁ ଅଧିକ ଦୀପ

ଭୁବନେଶ୍ୱର, ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଓଡ଼ିଶା ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ୧୧ ହଜାରରୁ ଅଧିକ ଦୀପ ପ୍ରଜ୍ୱଳିତ କରାଯାଇଥିଲା।

ସନ୍ଧ୍ୟା ସମୟରେ ମୁକ୍ତେଶ୍ୱର ପ୍ରାଙ୍ଗଣ ଦୀପର ଆଲୋକରେ ଉଜ୍ଜ୍ୱଳ ହୋଇଉଠିଥିଲା। ଘଣ୍ଟ, ଶଙ୍ଖ ଧ୍ୱନି ସହ ଓଡ଼ିଆ କଣ୍ଠଶିଳ୍ପୀମାନଙ୍କ ଭଜନ ପରିବେଶକୁ ଆଧ୍ୟାତ୍ମିକ କରିଥିଲା। ବହୁ ସଂଖ୍ୟାରେ ମହିଳା ଓ ଯୁବବର୍ଗ ଏଥିରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଯୁବବର୍ଗ ଓ ମହିଳାମାନଙ୍କ ସହ ଭାବବିନିମୟ ମଧ୍ୟ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ପ୍ରଜ୍ୱଳିତ ଏହି ଦୀପ ଓଡ଼ିଶାବାସୀଙ୍କ ଆଶୀର୍ବାଦର ପ୍ରତୀକ। ଭାରତକୁ ବିଶ୍ୱଗୁରୁ କରିବା ଲକ୍ଷ୍ୟରେ ଓଡ଼ିଶା ନିଜ ଭୂମିକା ଜାରି ରଖିବ ବୋଲି ସେ କହିଥିଲେ।

ସରକାରଙ୍କ ସୂଚନା ଅନୁସାରେ, ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ରାଜ୍ୟର ୩୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରାଯାଇଛି। ପରିବାର ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ମଧ୍ୟ ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା।

ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ଯୋଜନାର ହିତାଧିକାରୀ, ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଦେବାଳୟରେ ଝୋଟି ଚିତା ସହ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରାଯାଇଥିବା ସରକାର ପକ୍ଷରୁ କୁହାଯାଇଛି।

You may also like

Leave a Comment