କଟକ: ନକ୍ସଲବାଦୀ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଭଳି ସଂଗଠିତ ଅପରାଧୀ, ଆଇନଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ଅପରାଧୀଙ୍କୁ ଦୃଢ଼ ଭାବେ ମୁକାବିଲା କରିବାକୁ ପୋଲିସ ପ୍ରସ୍ତୁତ ରହିଛି। କର୍ତ୍ତବ୍ୟ ପାଳନ କରିବା ସମୟରେ ସର୍ବୋଚ୍ଚ ବଳିଦାନ ଦେବାକୁ ମଧ୍ୟ ପୋଲିସ ବାହିନୀ ପଛଘୁଞ୍ଚା ଦେବ ନାହିଁ ବୋଲି ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି।
ବୁଧବାର କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସରେ ଯୋଗଦେଇ ସେ ଏହି ମତ ରଖିଥିଲେ। ଏହି ଅବସରରେ ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ସେବାରେ ଜୀବନ ଉତ୍ସର୍ଗ କରିଥିବା ବୀର ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଶହୀଦ ଯବାନଙ୍କ ବଳିଦାନକୁ ସ୍ମରଣ
ପୋଲିସ ଶହୀଦ ସ୍ମୃତି ଦିବସର ଐତିହାସିକ ପୃଷ୍ଠଭୂମି ବର୍ଣ୍ଣନା କରି ଡିଜିପି କହିଥିଲେ ଯେ, ୧୯୫୯ ଅକ୍ଟୋବର ୨୧ରେ ଲଦାଖର ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ୧୦ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇଥିଲେ। ସେହି ବୀର ଯବାନଙ୍କ ସାହସ ଓ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଅକ୍ଟୋବର ୨୧ରେ ସାରା ଦେଶରେ ଏହି ଦିବସ ପାଳନ କରାଯାଏ।
ଚଳିତ ବର୍ଷ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣ ହରାଇଥିବା ବିଭିନ୍ନ ରାଜ୍ୟର ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ବଳର ୧୫୪ ଜଣ ଯବାନଙ୍କୁ ଏହି ଅବସରରେ ସ୍ମରଣ କରାଯାଇଥିଲା। ସେମାନଙ୍କ ତ୍ୟାଗ, ନିଷ୍ଠା ଓ ଦେଶପ୍ରେମ ପୋଲିସ ବାହିନୀକୁ ସର୍ବଦା ପ୍ରେରଣା ଯୋଗାଇବ ବୋଲି ଡିଜିପି କହିଥିଲେ।
ମାଓବାଦୀ ବିରୋଧୀ ଅଭିଯାନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ପ୍ରାଣବଳି ଦେଇଥିବା ପୋଲିସ ଓ ଅର୍ଦ୍ଧସାମରିକ ବଳର ଯବାନଙ୍କ ବୀରତ୍ୱକୁ ମଧ୍ୟ ଡିଜିପି ସ୍ମରଣ କରିଥିଲେ। ସେମାନଙ୍କ ସାହସ ଓ ନିରନ୍ତର ପ୍ରୟାସ ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା ଏବଂ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।
ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କ ଧୈର୍ଯ୍ୟ, ତ୍ୟାଗ ଓ ସହନଶୀଳତାକୁ ସମ୍ମାନ ଜଣାଇ ସେମାନଙ୍କ ପ୍ରତି ପୋଲିସ ବାହିନୀର କୃତଜ୍ଞତା ପ୍ରକାଶ କରିଥିଲେ।
ସାଇବର ଅପରାଧଠାରୁ ସଂଗଠିତ ଅପରାଧ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ
ବର୍ତ୍ତମାନ ସମୟରେ ପୋଲିସର ଦାୟିତ୍ୱ କେବଳ ପାରମ୍ପରିକ ଅପରାଧ ନିୟନ୍ତ୍ରଣରେ ସୀମିତ ନାହିଁ। ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଠକେଇ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି।
ଏହି ସମସ୍ତ ଆହ୍ୱାନର ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ନିୟମିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ଡିଜିପି କହିଥିଲେ।
ବିଭିନ୍ନ ବାହିନୀର ୧୫୪ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ପୋଲିସ ବିଭାଗର ପ୍ରେସ୍ ବିଜ୍ଞପ୍ତିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର କର୍ମଚାରୀ କର୍ତ୍ତବ୍ୟ ପାଳନ ସମୟରେ ଜୀବନ ହରାଇଛନ୍ତି। ଏଥିରେ ବିଏସ୍ଏଫ୍, ସିଆରପିଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀର ଯବାନ ସାମିଲ ଅଛନ୍ତି।
ଶହୀଦ ସ୍ମୃତି ଦିବସରେ ସମସ୍ତ ବୀର ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ସହ ଦେଶ ଓ ରାଜ୍ୟର ସୁରକ୍ଷା ପାଇଁ ପୋଲିସ ବାହିନୀ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବ ବୋଲି ସଂକଳ୍ପ ନିଆଯାଇଥିଲା।
