ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି କମିଶନ ଫାଇଲ ନିଖୋଜ ଘଟଣାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ଏହି ମାମଲାରେ ପଚରାଉଚରା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା ବୁଧବାର କ୍ୟାପିଟାଲ ଥାନାରେ ହାଜର ହୋଇନଥିଲେ।
ସୂଚନା ଅନୁସାରେ, ତଦନ୍ତର ଅଂଶ ଭାବେ ପୋଲିସ ରାଜେଶ ବର୍ମାଙ୍କୁ ବୁଧବାର ସକାଳ ୧୧ଟା ସୁଦ୍ଧା କ୍ୟାପିଟାଲ ଥାନାରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ବିତିଯାଇଥିଲେ ମଧ୍ୟ ସେ ଥାନାରେ ପହଞ୍ଚିନଥିଲେ। ଏହା ପରେ ତଦନ୍ତକୁ ନେଇ ପୁଣି ଥରେ ବିଭିନ୍ନ ପ୍ରଶ୍ନ ଉଠିଛି।
ଏହି ଘଟଣା ପରେ ପୋଲିସର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜେଶ ବର୍ମାଙ୍କୁ ପୁଣି ଥରେ ନୋଟିସ ଜାରି କରାଯିବ କିମ୍ବା ଆଇନ ଅନୁସାରେ ଅନ୍ୟ କୌଣସି ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଆଲୋଚନା ଚାଲିଛି।
ଏହି ମାମଲାରେ ପୂର୍ବତନ IT ସଚିବ ମନୋଜ ମିଶ୍ରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ତାଙ୍କୁ ମଧ୍ୟ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ମନୋଜ ମିଶ୍ର ଜୁଲାଇ ୧୮ ତାରିଖରେ ପୋଲିସ ସମ୍ମୁଖରେ ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନିଜର ପକ୍ଷ ରଖିଥିଲେ।
କିନ୍ତୁ ରାଜେଶ ବର୍ମା ହାଜର ନହେବା ପରେ ତଦନ୍ତର ଦିଗକୁ ନେଇ ଆହୁରି ଉତ୍ସୁକତା ବଢ଼ିଛି। ତେବେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ରାଜେଶ ବର୍ମାଙ୍କ ଅନୁପସ୍ଥିତିର କାରଣ କିମ୍ବା ଆଗାମୀ ପଦକ୍ଷେପ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନାହିଁ।
ସିଏମଓରୁ ଦୁଇଟି କମିଶନ ଫାଇଲ ନିଖୋଜ ଘଟଣାର ତଦନ୍ତ ଜାରି ରହିଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ଯାଞ୍ଚ କରୁଥିବା ବେଳେ, ଏବେ ସମସ୍ତଙ୍କ ନଜର ରହିଛି ଯେ ରାଜେଶ ବର୍ମା ପରବର୍ତ୍ତୀ ନୋଟିସରେ ହାଜର ହେବେ କି ନା ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଅନ୍ୟ ପଦକ୍ଷେପ ନିଆଯିବ।
