Home Odisha୧୦୦ ଉପକୂଳ ଗାଁକୁ ‘ସୁନାମି ପ୍ରସ୍ତୁତ’ ସ୍ୱୀକୃତି, ୩୮୧ ସୁନାମିପ୍ରବଣ ଗାଁକୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ କରିବା ଲକ୍ଷ୍ୟ

୧୦୦ ଉପକୂଳ ଗାଁକୁ ‘ସୁନାମି ପ୍ରସ୍ତୁତ’ ସ୍ୱୀକୃତି, ୩୮୧ ସୁନାମିପ୍ରବଣ ଗାଁକୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ କରିବା ଲକ୍ଷ୍ୟ

by Akshay Maharana
0 comments

ସୁନାମି ଭଳି ସମୁଦ୍ରଜନିତ ବିପର୍ଯ୍ୟୟର ମୁକାବିଲା ଓ ଉପକୂଳ ଅଞ୍ଚଳରେ ତୃଣମୂଳସ୍ତରର ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ଆଉ ଏକ ବଡ଼ ସଫଳତା ହାସଲ କରିଛି। ୟୁନେସ୍କୋ-ଆଇଓସିର ସୁନାମି ପ୍ରସ୍ତୁତ ସ୍ୱୀକୃତି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ମୋଟ ୧୦୦ଟି ଉପକୂଳ ଗାଁକୁ ‘ସୁନାମି ପ୍ରସ୍ତୁତ’ ଭାବେ ସ୍ୱୀକୃତି ମିଳିଛି।

୨୦୨୬ରେ ଆଉ ୭୫ଟି ଗାଁ ଏହି ସ୍ୱୀକୃତି ପାଇବା ପରେ ମୋଟ ସଂଖ୍ୟା ୧୦୦ରେ ପହଞ୍ଚିଛି। ୨୦୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ସୁନାମିପ୍ରବଣ ଉପକୂଳ ଗାଁକୁ ପର୍ଯ୍ୟାୟକ୍ରମେ ସୁନାମି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିଲେ। ସେହି ଦିଗରେ ରାଜ୍ୟର ଛଅଟି ଉପକୂଳ ଜିଲ୍ଲାରେ କାର୍ଯ୍ୟକ୍ରମକୁ ବିସ୍ତାର କରାଯାଉଛି।

ଓଡ଼ିଶାରେ ମୋଟ ୩୮୧ଟି ସୁନାମିପ୍ରବଣ ଉପକୂଳ ଗାଁ ଓ ବସତି ଚିହ୍ନଟ ହୋଇଛି। ଏସବୁ ଗାଁରେ ବୈଜ୍ଞାନିକ ସତର୍କ ସୂଚନା ବ୍ୟବସ୍ଥା, ନିରାପଦ ସ୍ଥାନାନ୍ତରଣ ପଥ, ଆଶ୍ରୟସ୍ଥଳ, ସଚେତନତା, ଅଭ୍ୟାସମୂଳକ ପ୍ରଶିକ୍ଷଣ ଏବଂ ଜରୁରୀ ସମୟରେ ତୁରନ୍ତ ପ୍ରତିକ୍ରିୟା ଉପରେ ଜୋର ଦିଆଯାଉଛି।

ଜାତୀୟ ସୁନାମି ପ୍ରସ୍ତୁତ ବୋର୍ଡର ସଦସ୍ୟମାନେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ବିଭିନ୍ନ ଉପକୂଳ ଗାଁ ପରିଦର୍ଶନ କରି କ୍ଷେତ୍ରସ୍ତରରେ ପ୍ରସ୍ତୁତି ଯାଞ୍ଚ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସୁନାମି ସମ୍ପର୍କିତ ସଚେତନତା, ସତର୍କ ସୂଚନା ମିଳିଲେ କିପରି ପ୍ରତିକ୍ରିୟା କରିବେ ଏବଂ କେଉଁପଥରେ ସୁରକ୍ଷିତ ସ୍ଥାନକୁ ଯିବେ, ସେସବୁ ଯାଞ୍ଚ କରାଯାଇଥିଲା।

କ୍ଷେତ୍ର ପରିଦର୍ଶନ ପରେ ବୋର୍ଡ ସଦସ୍ୟମାନେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ନିଜର ମତାମତ ଓ ପର୍ଯ୍ୟବେକ୍ଷଣ ଜଣାଇଥିଲେ। ଗ୍ରାମବାସୀଙ୍କ ସକ୍ରିୟ ଭାଗୀଦାରି ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପ୍ରସ୍ତୁତିକୁ ବୋର୍ଡ ପ୍ରଶଂସା କରିଥିଲା।

ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରସ୍ଥିତ ସମ୍ମିଳନୀ କେନ୍ଦ୍ରରେ ଜାତୀୟ ସୁନାମି ପ୍ରସ୍ତୁତ ବୋର୍ଡର ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଛଅଟି ଉପକୂଳ ଜିଲ୍ଲାରେ କରାଯାଇଥିବା କ୍ଷେତ୍ର ଯାଞ୍ଚ ଏବଂ ଗ୍ରାମସ୍ତରର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଓଡ଼ିଶାର ସୁନାମି ପ୍ରସ୍ତୁତି ଯାତ୍ରା ୨୦୧୯ରେ ଗଞ୍ଜାମର ଭେଙ୍କଟରାଇପୁର (ବକ୍ସିପଲ୍ଲୀ) ଏବଂ ଜଗତସିଂହପୁରର ନୋଳିଆସାହିରୁ ଆରମ୍ଭ ହୋଇଥିଲା। ପରେ ୨୦୨୪ରେ ଆଉ ୨୪ଟି ଗାଁକୁ ଏହି ସ୍ୱୀକୃତି ମିଳିଥିଲା। ୨୦୨୬ରେ ଆଉ ୭୫ଟି ଗାଁ ଯୋଡ଼ିବା ସହ ରାଜ୍ୟ ୧୦୦ ଗାଁର ମାଇଲ୍‌ଷ୍ଟୋନ୍ ଛୁଇଁଛି।

ଏହି ସଫଳତା ରାଜ୍ୟର ବୈଜ୍ଞାନିକ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରଶାସନିକ କ୍ଷମତା ଏବଂ ଜନସହଭାଗିତାର ସମନ୍ୱିତ ପ୍ରୟାସକୁ ପ୍ରତିଫଳିତ କରୁଛି। ସୁନାମି ଭଳି ବିପଦ ସମୟରେ ଜୀବନ, ଜୀବିକା ଓ ସମ୍ପତ୍ତିର କ୍ଷୟକ୍ଷତି କମାଇବା ସହ ଉପକୂଳ ଅଞ୍ଚଳକୁ ଅଧିକ ସୁରକ୍ଷିତ ଓ ବିପର୍ଯ୍ୟୟ ସହନଶୀଳ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।

You may also like

Leave a Comment