Home » Blog » ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା, ଆସିବ ୧.୧୭ ଲକ୍ଷ କୋଟିର ନିବେଶ

ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା, ଆସିବ ୧.୧୭ ଲକ୍ଷ କୋଟିର ନିବେଶ

by Sunita Jena
0 comments

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ଏକ୍ସପୋ-୨୦୨୬ରେ ଓଡ଼ିଶାକୁ ମିଳିଛି ବଡ଼ ନିବେଶ ପ୍ରସ୍ତାବ। ରାଜ୍ୟ ସରକାର ୧୮ଟି ଶିଳ୍ପସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରି ମୋଟ ୧,୧୭,୫୫୭ କୋଟି ଟଙ୍କାର ନିବେଶ ପାଇଁ ପଥ ପ୍ରସ୍ତୁତ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାରେ ୧୧,୭୪୨ ମେଗାୱାଟ୍‌ ଯୋଡ଼ି ହେବ।

ଏହି ସମ୍ମିଳନୀରେ ହିନ୍ଦୁଜା ରିନ୍ୟୁଏବଲ୍ସ, ରିନ୍ୟୁ ଗ୍ରିନ୍‌, ସୁଜଲନ୍‌, ଶିବାଳୟ କନଷ୍ଟ୍ରକ୍ସନ, ମେଘାମଣି ରିନ୍ୟୁ ଏନର୍ଜି ସମେତ ଅନେକ ପ୍ରମୁଖ ସଂସ୍ଥା ସହ ରାଜ୍ୟ ସରକାର ବୁଝାମଣା କରିଛନ୍ତି। ଏହାବ୍ୟତୀତ ଶିକ୍ଷା, ଗବେଷଣା ଓ ବୈଷୟିକ ଜ୍ଞାନର ଆଦାନପ୍ରଦାନ ପାଇଁ ଗ୍ରିଡ୍‌କୋ ପକ୍ଷରୁ ଆଇଆଇଟି ଭୁବନେଶ୍ୱର, ମୌଲାନା ଆଜାଦ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଓ ମଧ୍ୟପ୍ରଦେଶ ଊର୍ଜା ବିକାଶ ନିଗମ ସହ ମଧ୍ୟ ଚୁକ୍ତି ହୋଇଛି।

କାର୍ଯ୍ୟକ୍ରମରେ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରର ଭବିଷ୍ୟତ ଯୋଜନା ଉପରେ ମତ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୪୭ ସୁଦ୍ଧା ରାଜ୍ୟର ମୋଟ ଶକ୍ତି ଆବଶ୍ୟକତାର ୭୪ ପ୍ରତିଶତ ଅଣଜୀବାଶ୍ମ ଉତ୍ସରୁ ପୂରଣ କରିବାର ଲକ୍ଷ୍ୟ ଥିବା କହିଥିଲେ। ଶିଳ୍ପ କ୍ଷେତ୍ରରେ ଅତିକମ୍‌ରେ ୩୩ ପ୍ରତିଶତ ବିଦ୍ୟୁତ୍‌ ଆବଶ୍ୟକତା ସବୁଜ ଶକ୍ତି ମାଧ୍ୟମରେ ପୂରଣ କରିବାକୁ ଯୋଜନା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ୧୫,୯୪୮ କୋଟି ଟଙ୍କା ମଞ୍ଜୁର ହୋଇଛି।

ଓଡ଼ିଶାରେ ଅକ୍ଷୟ ଶକ୍ତି ଭିତ୍ତିକ ଶିଳ୍ପ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଆହ୍ୱାନ ଦେଇଥିଲେ। କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଓଡ଼ିଶାରେ ଏହି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନା ଉପରେ ଗୁରୁତ୍ୱ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ରାଜ୍ୟର ଶକ୍ତି କ୍ଷେତ୍ରର ଅଗ୍ରଗତି ସମ୍ପର୍କରେ ନିଜର ମତ ରଖିଥିଲେ।

କେନ୍ଦ୍ର ଅକ୍ଷୟ ଶକ୍ତି ସଚିବଙ୍କ ସୂଚନା ଅନୁସାରେ, ୨୦୨୬ ସେପ୍ଟେମ୍ବର ୩୦ ସୁଦ୍ଧା ଓଡ଼ିଶାର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୩,୬୪୧.୨୩ ମେଗାୱାଟ୍‌ରେ ପହଞ୍ଚିଛି। ନୂଆ ନିବେଶ ପ୍ରସ୍ତାବଗୁଡ଼ିକ ସଫଳ ହେଲେ ରାଜ୍ୟର ସବୁଜ ଶକ୍ତି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବା ସହ ଶିଳ୍ପ ବିକାଶକୁ ମଧ୍ୟ ଗତି ମିଳିବ।

You may also like

Leave a Comment