Home » Blog » ବିଧାନସଭା ଆରମ୍ଭ ପୂର୍ବରୁ ରାଜନୀତି ସରଗରମ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ବିଧାନସଭା ଆରମ୍ଭ ପୂର୍ବରୁ ରାଜନୀତି ସରଗରମ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

by Sunita Jena
0 comments

ଭୁବନେଶ୍ୱର: ଆଉ ଦିନକ ପରେ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଏହାକୁ ନେଇ ଏବେଠାରୁ ରାଜ୍ୟ ରାଜନୀତିରେ ହଲଚଲ ଆରମ୍ଭ ହୋଇଗଲାଣି। ଶାସକ ବିଜେପିକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଶେଷକରି ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା, କୋଟିଆରେ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପ ଏବଂ ମହାନଦୀ ଜଳ ବିବାଦ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜବାବ ମାଗିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ।

ସୂଚନା ଅନୁସାରେ, ଗଞ୍ଜାମରେ ବାତ୍ୟା ପରେ ସୃଷ୍ଟି ହୋଇଥିବା ବନ୍ୟାକୁ ନେଇ ବିଜେଡି ଓ କଂଗ୍ରେସ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଉଛି, ଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ଏପରିକି ବନ୍ୟାକୁ ମନୁଷ୍ୟକୃତ ବୋଲି ମଧ୍ୟ ଦୁଇ ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସରକାରୀ ପକ୍ଷ ଏହି ଅଭିଯୋଗର ଜବାବ ରଖୁଥିଲେ ମଧ୍ୟ ବିରୋଧୀ ନିଜ ଆଭିମୁଖ୍ୟରୁ ହଟିବାକୁ ନାରାଜ। ତେଣୁ ଶୀତ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ ହେବାର ଆଶଙ୍କା ରହିଛି।

ସେହିପରି ଦ୍ୱିତୀୟ ବଡ଼ ପ୍ରସଙ୍ଗ ହେବ କୋଟିଆ ସୀମା ବିବାଦ। କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯିବା ଘଟଣାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଓଡ଼ିଶା ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ଗତ ୫ ତାରିଖରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନ ହୋଇଥିବା ବେଳେ ଏବେ ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରଶ୍ନ ହେଉଛି, ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଅନ୍ୟ ରାଜ୍ୟର ନିର୍ବାଚନୀ ପ୍ରକ୍ରିୟା ଚାଲିଥିବା ବେଳେ ରାଜ୍ୟ ସରକାର କାହିଁକି ଦୃଢ଼ ପଦକ୍ଷେପ ନେଉନାହାନ୍ତି? ଏହା ସହ ଓଡ଼ିଆ ଭୋଟରଙ୍କ ଏକ ଅଂଶ ଆନ୍ଧ୍ରର ନିର୍ବାଚନରେ ଭାଗ ନେଇଥିବା ଘଟଣାକୁ ମଧ୍ୟ ବିରୋଧୀ ଉଠାଇବେ। କୋଟିଆରେ ଓଡ଼ିଆ ଅସ୍ମିତା ଓ ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ ସରକାର ବିଫଳ ବୋଲି ଅଭିଯୋଗ କରିବା ସହ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା କାହିଁକି ଅଧିକ ଜୋରଦାର ଭାବେ ପକ୍ଷ ରଖୁନାହିଁ, ସେନେଇ ମଧ୍ୟ ଜବାବ ମାଗିବେ।

ଏହା ବ୍ୟତୀତ ବିଧାନସଭାରେ ପୁଣି ଉଠିପାରେ ଏମଏମଡିଆର୍‌ ବା ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ ପ୍ରସଙ୍ଗ। ପୂର୍ବ ମୌସୁମୀ ଅଧିବେଶନରେ ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଥିଲା। ଏଥର ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ମହାନଦୀ ଜଳ ବିବାଦରେ ଛତିଶଗଡ଼ ସହ ଓଡ଼ିଶା ସରକାର କରୁଥିବା ଆପୋସ ଆଲୋଚନାର ଆଧାର କ’ଣ, ସେନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇବେ। ରାଜ୍ୟର ଜଳ ସମ୍ପଦ ଓ ଚାଷୀଙ୍କ ସ୍ୱାର୍ଥକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି ହୋଇପାରେ।

ତେବେ ଏଥରର ଅଧିବେଶନକୁ ନେଇ ବିରୋଧୀ ଦଳ ଭିତରେ ଆଉ ଏକ ଭିନ୍ନ ମତ ମଧ୍ୟ ସାମ୍ନାକୁ ଆସୁଛି। ଗତ ମୌସୁମୀ ଅଧିବେଶନରେ ଗୋଟିଏ ଦିନ ମଧ୍ୟ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା। ଏମଏମଡିଆର୍‌ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହରେ ଅର୍ଥପୂର୍ଣ୍ଣ ଆଲୋଚନା ହୋଇପାରିନଥିଲା। ଏପରିକି ଧାର୍ଯ୍ୟ ସମୟ ପୂର୍ବରୁ ଅଧିବେଶନ ଶେଷ କରିବାକୁ ପଡ଼ିଥିଲା।

ଏହି ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଉଭୟ ବିଜେଡି ଓ କଂଗ୍ରେସର କିଛି ବିଧାୟକ ଏଥର ଗୃହକୁ ସମ୍ପୂର୍ଣ୍ଣ ଅଚଳ କରିବା ସପକ୍ଷରେ ନାହାନ୍ତି। ସେମାନଙ୍କ ମତରେ, ଲଗାତାର ହଟ୍ଟଗୋଳ ଓ ଗୃହ ମୁଲତବୀ ହେବା ଦ୍ୱାରା ବିରୋଧୀଙ୍କ ଉଠାଇବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇପାରୁନାହିଁ। ଏହାର ଫାଇଦା ଶାସକ ଦଳ ପାଇପାରୁଛି। ତେଣୁ ଆବଶ୍ୟକ ସମୟରେ ପ୍ରତିବାଦ କରିବା ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ଆଲୋଚନା କରି ସରକାରଙ୍କୁ ଜବାବଦେହ କରିବା ଉଚିତ ବୋଲି କିଛି ବିଧାୟକ ମତ ରଖିଛନ୍ତି। ଏପରିକି ଏନେଇ କିଛି ବିଧାୟକ ନିଜ ଦଳର ନେତୃତ୍ୱଙ୍କୁ ମଧ୍ୟ ଜଣାଇଥିବା ସୂଚନା ମିଳିଛି।

ଏହି ପରିସ୍ଥିତିରେ ଅଧିବେଶନର ରଣନୀତି ଚୂଡ଼ାନ୍ତ କରିବା ପାଇଁ ନଭେମ୍ବର ୧୭ ତାରିଖରେ ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସିବ। ବିଜେପି ଓ କଂଗ୍ରେସର ବୈଠକ ବିଧାନସଭା ପରିସରରେ ହେବାକୁ ଥିବା ବେଳେ ବିଜେଡିର ବୈଠକ ଶଙ୍ଖ ଭବନରେ ହେବ। ଏହା ସହ ଅଧିବେଶନକୁ ସୁଚାରୁ ଭାବେ ଚଳାଇବା ଲକ୍ଷ୍ୟରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏହି ବୈଠକଗୁଡ଼ିକରେ ଦଳଗୁଡ଼ିକର ଚୂଡ଼ାନ୍ତ ଆଭିମୁଖ୍ୟ ସ୍ପଷ୍ଟ ହେବାର ସମ୍ଭାବନା ରହିଛି।

ନଭେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହେବ। ପରେ ନଭେମ୍ବର ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ କରାଯିବାର କାର୍ଯ୍ୟସୂଚୀ ରହିଛି।

ଏବେ ସମସ୍ତଙ୍କ ନଜର ୧୭ ତାରିଖର ବୈଠକ ଉପରେ। ବିରୋଧୀ ଦଳଗୁଡ଼ିକ କେବଳ ହଟ୍ଟଗୋଳ ଓ ପ୍ରତିବାଦରେ ସୀମିତ ରହିବେ ନା ଗୃହରେ ଆଲୋଚନା ଜରିଆରେ ସରକାରଙ୍କୁ ଘେରିବେ, ତାହା ଆସନ୍ତା ଅଧିବେଶନର ରାଜନୈତିକ ଦିଗ ନିର୍ଣ୍ଣୟ କରିବ।

You may also like

Leave a Comment