Home Featuredବାଲେଶ୍ୱରରେ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ନଗଦ ଟଙ୍କା

ବାଲେଶ୍ୱରରେ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ନଗଦ ଟଙ୍କା

by Lokanath Panigrahi
0 comments

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଦୁଇଜଣ ସଶସ୍ତ୍ର ଦୁର୍ବୃତ୍ତ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ତା–ବାଲିଆପାଳ ମୁଖ୍ୟ ରାସ୍ତାର ଦରଡ଼ା ନିକଟରେ ଥିବା ପେଟ୍ରୋଲ ପମ୍ପରେ ସାଧାରଣ ଭାବେ ଇନ୍ଧନ ବିକ୍ରି ଚାଲିଥିବା ସମୟରେ ଏକ ବୁଲେଟ୍ ମୋଟରସାଇକେଲରେ ଦୁଇଜଣ ମୁଖାପିନ୍ଧା ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ସେମାନେ ହଠାତ୍ ଅସ୍ତ୍ର ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରି କାଉଣ୍ଟରରେ ଥିବା ନଗଦ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଦ୍ରୁତଗତିରେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ।

ଘଟଣା ପରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ବସ୍ତା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଥିବାବେଳେ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଦୁର୍ବୃତ୍ତଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।

ଏହି ଘଟଣା ଏଭଳି ସମୟରେ ଘଟିଛି, ଯେତେବେଳେ କିଛିଦିନ ପୂର୍ବରୁ ସିଂଲା ପୋଲିସ ଏକ ଆନ୍ତରାଜ୍ୟ ଅପରାଧୀ ଗ୍ୟାଙ୍ଗକୁ ଗିରଫ କରି ସେମାନଙ୍କଠାରୁ ଅଗ୍ନେୟାସ୍ତ୍ର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା। ସେହିପରି ବାଲେଶ୍ୱର ସହରର ଅଡ଼ର ବଜାର ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।

ଲଗାତାର ଏଭଳି ଅପରାଧିକ ଘଟଣା ପରେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେବେ ଏହି ଲୁଟ୍ ଘଟଣାରେ କେତେ ଟଙ୍କା ଲୁଟ୍ ହୋଇଛି ଏବଂ କେଉଁମାନେ ଏଥିରେ ସମ୍ପୃକ୍ତ, ସେନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

You may also like

Leave a Comment