Home » Blog » ମାଲକାନଗିରିରେ ଜନଜାତୀୟ ଗୌରବ ଦିବସ, ୮ ଲକ୍ଷ ଆଦିବାସୀ ପରିବାର ହେବେ ସ୍ୱାବଲମ୍ବୀ

ମାଲକାନଗିରିରେ ଜନଜାତୀୟ ଗୌରବ ଦିବସ, ୮ ଲକ୍ଷ ଆଦିବାସୀ ପରିବାର ହେବେ ସ୍ୱାବଲମ୍ବୀ

by Sunita Jena
0 comments

ମାଲକାନଗିରିରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ। ମହାନ ଜନଜାତି ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆୟୋଜିତ ଏହି ସମାରୋହରେ ଜନଜାତି ସମାଜର ସମ୍ମାନ, ସ୍ୱାଭିମାନ ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି।

ଏହି ଅବସରରେ ମାଲକାନଗିରିରେ ୧୬୧ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୮ଟି ନୂତନ ଛାତ୍ରାବାସର ଲୋକାର୍ପଣ କରାଯାଇଛି। ସେହିପରି ୧୦୬ କୋଟି ଟଙ୍କା ବ୍ୟୟରେ ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି।

ଜନଜାତି ପରିବାରଙ୍କ ଆର୍ଥିକ ଉନ୍ନତି ଓ ଜୀବିକାକୁ ଅଧିକ ସୁଦୃଢ଼ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ୨.୦’ ଆରମ୍ଭ ହୋଇଛି। ଏହି ଯୋଜନାରେ ଆଗାମୀ ୫ ବର୍ଷ ମଧ୍ୟରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକ୍‌ର ପ୍ରାୟ ୮ ଲକ୍ଷ ଅନୁସୂଚିତ ଜନଜାତି ଓ ବିଶେଷ ଅନୁନ୍ନତ ଜନଜାତି ପରିବାରକୁ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ରହିଛି।

ଗ୍ରାମୀଣ ଆବାସ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଅଧିକ ଘର ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ ୪ ଲକ୍ଷ ଘର ଆବଣ୍ଟନ ହୋଇଥିବାବେଳେ ଅତିରିକ୍ତ ୧ ଲକ୍ଷ ଘର ମିଳିବା ପରେ ମୋଟ ଆବଣ୍ଟନ ୫ ଲକ୍ଷରେ ପହଞ୍ଚିଛି। ଆଉ ୧ ଲକ୍ଷ ଘର ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ଏଥିସହ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ମାଲକାନଗିରି ଭଳି ଅଞ୍ଚଳରେ ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟିକୁ ନେଇ ମଧ୍ୟ ବଡ଼ ଯୋଜନା ରହିଛି। ଖୁବ୍‌ଶୀଘ୍ର ପ୍ରାୟ ୪,୨୦୦ କୋଟି ଟଙ୍କା ବ୍ୟୟରେ ଦୁଇଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି।

ଜନଜାତି ସମାଜର ଯୁବପିଢ଼ି ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ ଆଗକୁ ବଢ଼ିବା ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ମତ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଦିଦାୟୀ ଜନଜାତିର ଦୁଇଜଣ ପିଏଚ୍‌ଡି ଛାତ୍ର ଓ ଜଣେ ସମାଜସେବୀଙ୍କୁ ସମ୍ମାନିତ କରାଯାଇଛି।

ସାମଗ୍ରିକ ଭାବେ ଜନଜାତିଙ୍କ ଶିକ୍ଷା, ଜୀବିକା, ଆବାସ ଓ ଶିଳ୍ପାୟନକୁ ଗୁରୁତ୍ୱ ଦେଇ ମାଲକାନଗିରିରୁ ବିକଶିତ ଓଡ଼ିଶା ଗଠନର ବାର୍ତ୍ତା ଦେଇଛନ୍ତି ରାଜ୍ୟ ସରକାର।

You may also like

Leave a Comment