ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅକଭାନ୍’ (AKVAN)ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର ହୋଇଛି। ବାତ୍ୟା ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଗଛ ଉପୁଡ଼ିବା ଏବଂ ରାସ୍ତା ଅବରୋଧ ହେବାର ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛି ରାଜ୍ୟ ସରକାର। ଏଥିପାଇଁ ୧୧ଟି ଜିଲ୍ଲାରେ ମୋଟ ୧୦୦ଟି ସ୍ୱତନ୍ତ୍ର ଟିମ୍ ମୁତୟନ କରାଯିବ।
ଏନେଇ ନଭେମ୍ବର ୧୮ ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ୍ (OFDC)ର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଟିମ୍ଗୁଡ଼ିକର ତୁରନ୍ତ ମୁତୟନ ଓ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚିଠି ଅନୁଯାୟୀ, ମୁତୟନ ହେବାକୁ ଥିବା ଟିମ୍ଗୁଡ଼ିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC)ରେ ରିପୋର୍ଟ କରିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବେ। ବାତ୍ୟା ସମୟରେ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ଗଛ କାଟି ହଟାଇବା ଏବଂ ଯାତାୟାତ ସ୍ୱାଭାବିକ କରିବା ଏହି ଟିମ୍ଗୁଡ଼ିକର ମୁଖ୍ୟ ଦାୟିତ୍ୱ ରହିବ।
ଜିଲ୍ଲାୱାରୀ ଟିମ୍ ମୁତୟନ ବ୍ୟବସ୍ଥା ଅନୁଯାୟୀ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ୫ଟି ଲେଖାଏଁ ଟିମ୍ ମୁତୟନ ହେବେ। ସେହିପରି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୧୦ଟି ଲେଖାଏଁ ଟିମ୍ ନିୟୋଜିତ ହେବେ।
ବାତ୍ୟା ସମୟରେ ରାସ୍ତା ଅବରୋଧ ଯୋଗୁଁ ଉଦ୍ଧାର କାର୍ଯ୍ୟ ଓ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଜରୁରୀକାଳୀନ ସ୍ଥିତିରେ ତୁରନ୍ତ ରାସ୍ତା ସଫା କରି ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ରଖିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।
