ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୬ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିଲା।
ସୂଚନା ଅନୁସାରେ, ଅଷ୍ଟମ ଶ୍ରେଣୀର ଏକ କକ୍ଷରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ବସିଥିଲେ। ଏହି ଶ୍ରେଣୀଗୃହରେ ସାଧାରଣତଃ ପ୍ରାୟ ୪୦ରୁ ୫୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ଥିବାବେଳେ ଘଟଣା ସମୟରେ ପ୍ରାୟ ୭୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଅଧିକ ଭିଡ଼ ଯୋଗୁଁ ଶ୍ରେଣୀଗୃହରେ ବାୟୁ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଏବଂ ଭେଣ୍ଟିଲେସନ ଅଭାବରୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି।
ଘଟଣା ପରେ ବିଦ୍ୟାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଅସୁସ୍ଥ ଛାତ୍ରୀମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଚିକିତ୍ସା ଜାରି ରହିଥିବାବେଳେ ସ୍ଥିତି ସ୍ୱାଭାବିକ ଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି।
