ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟୋରରେ ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗ ଆସିବା ପରେ ଷ୍ଟୋର ମେଡିକାଲ ଅଫିସର (ଏସଏମଓ)ଙ୍କୁ ଷ୍ଟୋର ପରିଚାଳନା ଦାୟିତ୍ୱରୁ ହଟାଯାଇଛି।
ସେହିପରି ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ ଷ୍ଟୋର ଦାୟିତ୍ୱରୁ ଅପସାରଣ କରିବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଣେ ଆଉଟସୋର୍ସିଂ ଆଟେଣ୍ଡାଣ୍ଟଙ୍କୁ ବହିଷ୍କାର କରାଯିବା ସହ ନଷ୍ଟ ହୋଇଥିବା ଇଞ୍ଜେକ୍ସନର ମୂଲ୍ୟ ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କଠାରୁ ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଘଟଣାର ଗଭୀର ତଦନ୍ତ ପାଇଁ ଗଠିତ କମିଟି ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ସୁପାରିସ କରିଛି।
ସୂଚନା ଅନୁଯାୟୀ, ଏପ୍ରିଲ ମାସରେ ମେଡିକାଲ ଷ୍ଟୋରର ଡଷ୍ଟବିନରୁ ୨୧ଟି ଇନ୍ସୁଲିନ୍ ଗ୍ଲାର୍ଜିନ୍ ଇଞ୍ଜେକ୍ସନ ଜବତ କରାଯାଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ, ନିର୍ଦ୍ଧାରିତ ତାପମାତ୍ରାରେ ସଂରକ୍ଷଣ ନ କରାଯିବାରୁ ସମସ୍ତ ଇଞ୍ଜେକ୍ସନ ନଷ୍ଟ ହୋଇଯାଇଥିଲା। ପ୍ରତିଟି ଇଞ୍ଜେକ୍ସନର ମୂଲ୍ୟ ୮୬୯ ଟଙ୍କା ହୋଇଥିବାରୁ ସରକାରଙ୍କ ଆର୍ଥିକ କ୍ଷତି ହୋଇଥିବା ଦର୍ଶାଯାଇଛି।
ଘଟଣାକୁ ଗୁରୁତ୍ୱର ସହ ନେଇ ଗଞ୍ଜାମ ଜିଲ୍ଲାପାଳ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ରେଜିଷ୍ଟ୍ରାରଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ସହ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା।
