୩୫୮ଟି ଉଚ୍ଚଶିକ୍ଷାନୁଷ୍ଠାନରେ ନିର୍ବାଚନ, ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ନିଜ ପସନ୍ଦର ଛାତ୍ରନେତା ବାଛିବା ପାଇଁ ଛାତ୍ରଛାତ୍ରୀ ମତଦାନ କରୁଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ଗ୍ରହଣ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ। ମତଦାନ ଶେଷ ହେବା ପରେ ଭୋଟ୍ ଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ କଲେଜ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଏହି ନିର୍ବାଚନ ହେଉଛି। ନିର୍ବାଚନକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କ୍ୟାମ୍ପସଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା ସହ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୁଲିସ ମୁତୟନ କରାଯାଇଛି।
ଚଳିତବର୍ଷ ୧୨ଟି ବିଶ୍ୱବିଦ୍ୟାଳୟ ସମେତ ମୋଟ ୩୫୮ଟି ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। ଏଥିରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ସଭାପତି ପଦ ପାଇଁ ୮୬୬ ଜଣ, ଉପସଭାପତି ପଦ ପାଇଁ ୭୧୬ ଜଣ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ୬୧୬ ଜଣ ପ୍ରାର୍ଥୀ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।
କ୍ୟାମ୍ପସରେ ଶୃଙ୍ଖଳା ବଜାୟ ରଖିବାକୁ ବୈଧ ପରିଚୟପତ୍ର ଥିବା ବ୍ୟକ୍ତିଙ୍କୁ ହିଁ ପ୍ରବେଶ ଅନୁମତି ଦିଆଯାଉଛି। ଭୋଟ୍ ଗଣତି ସମୟରେ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଉପସ୍ଥିତ ରହିବେ। ଏବେ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ ରହିଥିବା ବେଳେ କେଉଁ ଛାତ୍ର ସଂଗଠନ କ୍ୟାମ୍ପସରେ ନିଜର ଦବଦବା ଜାହିର କରିବ, ତାହା ଫଳାଫଳ ପରେ ସ୍ପଷ୍ଟ ହେବ।
