ନୂଆଦିଲ୍ଲୀ: ଜାତୀୟ ରାଜପଥ (NH)ରେ ଯାତ୍ରା କରୁଥିବା ଲକ୍ଷାଧିକ ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ଜାତୀୟ ରାଜପଥ ପ୍ରାଧିକରଣ (NHAI) ଟୋଲ୍ ଶୁଳ୍କ ଗଣନା ପ୍ରଣାଳୀରେ ପରିବର୍ତ୍ତନ ଆଣିଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଦୀର୍ଘ ବ୍ରିଜ୍, ସୁଡ଼ଙ୍ଗ, ଫ୍ଲାଏଓଭର ଓ ଏଲିଭେଟେଡ୍ ରୋଡ୍ ଥିବା ଜାତୀୟ ରାଜପଥରେ ଟୋଲ୍ ଶୁଳ୍କ ପୂର୍ବ ତୁଳନାରେ କମ୍ ହେବ।
NHAI ଟୋଲ୍ ଫି ନିୟମରେ ସଂଶୋଧନ କରି ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ନୂଆ ଦର ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହା ଅନୁସାରେ ଟୋଲ୍ ଶୁଳ୍କର ସମୀକ୍ଷା କରି ନୂଆ ଗଣନା ପଦ୍ଧତି ଅନୁଯାୟୀ ଆଦାୟ କରାଯିବ।
କାହିଁକି ବଦଳିଲା ନିୟମ?
ବ୍ରିଜ୍, ସୁଡ଼ଙ୍ଗ ଓ ଏଲିଭେଟେଡ୍ ରୋଡ୍ ନିର୍ମାଣ ଏବଂ ରକ୍ଷାଣବେକ୍ଷଣରେ ଅଧିକ ଖର୍ଚ୍ଚ ହେଉଥିବାରୁ ପୂର୍ବରୁ ଏହି ଅଂଶଗୁଡ଼ିକର ଲମ୍ବକୁ ୧୦ ଗୁଣା ଧରି ଟୋଲ୍ ଗଣନା କରାଯାଉଥିଲା। ଫଳରେ ଅନେକ ଜାତୀୟ ରାଜପଥରେ ଗାଡ଼ି ଚାଳକଙ୍କୁ ଅଧିକ ଟୋଲ୍ ଦେବାକୁ ପଡ଼ୁଥିଲା।
ଉଦାହରଣ ସ୍ୱରୂପ, ୫ କିଲୋମିଟର ଲମ୍ବର ସୁଡ଼ଙ୍ଗ କିମ୍ବା ଏଲିଭେଟେଡ୍ ରୋଡ୍ ଥିଲେ, ତାହାକୁ ୫୦ କିଲୋମିଟର ସଡ଼କ ସମାନ ଧରି ଟୋଲ୍ ଗଣନା କରାଯାଉଥିଲା।
ନୂଆ ଗଣନା ପ୍ରଣାଳୀ କ’ଣ?
ସଂଶୋଧିତ ନିୟମ ଅନୁଯାୟୀ, ଯେଉଁ ଜାତୀୟ ରାଜପଥରେ ବ୍ରିଜ୍, ସୁଡ଼ଙ୍ଗ, ଫ୍ଲାଏଓଭର କିମ୍ବା ଏଲିଭେଟେଡ୍ ରୋଡ୍ ରହିଛି, ସେଠାରେ ଟୋଲ୍ ଦୁଇଟି ପଦ୍ଧତିରେ ଗଣନା କରାଯିବ—
- ବ୍ରିଜ୍, ସୁଡ଼ଙ୍ଗ କିମ୍ବା ଏଲିଭେଟେଡ୍ ରାସ୍ତାର ଲମ୍ବକୁ ୧୦ ଗୁଣା କରି, ସାଧାରଣ ସଡ଼କର ଅବଶିଷ୍ଟ ଲମ୍ବ ସହ ଯୋଗ କରାଯିବ।
- ଅନ୍ୟପକ୍ଷରେ, ସମଗ୍ର ଜାତୀୟ ରାଜପଥର ମୋଟ ଲମ୍ବକୁ ୫ ଗୁଣା କରାଯିବ।
ଏହି ଦୁଇଟି ଗଣନା ମଧ୍ୟରୁ ଯେଉଁ ପଦ୍ଧତିରେ କମ୍ ଦୂରତା ଆସିବ, ସେହି ଆଧାରରେ ଟୋଲ୍ ଶୁଳ୍କ ନିର୍ଦ୍ଧାରଣ କରାଯିବ। ଏହା ଫଳରେ ଅନେକ କ୍ଷେତ୍ରରେ ଟୋଲ୍ ଶୁଳ୍କ ପୂର୍ବ ତୁଳନାରେ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ କମିପାରେ।
ଏହାସହ ୬୦ ମିଟରରୁ କମ୍ ଲମ୍ବ ବିଶିଷ୍ଟ ବ୍ରିଜ୍ କିମ୍ବା ଫ୍ଲାଏଓଭର ପାଇଁ କୌଣସି ଅତିରିକ୍ତ ଟୋଲ୍ ଆଦାୟ କରାଯିବ ନାହିଁ।
କେବେଠାରୁ ଲାଗୁ ହେବ ନୂଆ ଦର?
ସଂଶୋଧିତ ନିୟମ ଜାରି ହୋଇସାରିଛି। ତେବେ ବର୍ତ୍ତମାନ କାର୍ଯ୍ୟରତ ଟୋଲ୍ ପ୍ଲାଜାଗୁଡ଼ିକରେ ନୂଆ ଶୁଳ୍କ ସେମାନଙ୍କର ପରବର୍ତ୍ତୀ ବାର୍ଷିକ ଟୋଲ୍ ସଂଶୋଧନ ତାରିଖଠାରୁ ଲାଗୁ ହେବ। ଅନ୍ୟପକ୍ଷରେ, ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ନୂଆ ଟୋଲ୍ ପ୍ଲାଜାଗୁଡ଼ିକରେ ପ୍ରଥମ ଦିନରୁ ହିଁ ଏହି ସଂଶୋଧିତ ନିୟମ ଅନୁଯାୟୀ ଟୋଲ୍ ଆଦାୟ କରାଯିବ।
ଏହି ପରିବର୍ତ୍ତନ ଫଳରେ ବିଶେଷକରି ପାହାଡ଼ିଆ ଅଞ୍ଚଳ, ଏକ୍ସପ୍ରେସୱେ ଓ ଦୀର୍ଘ ଏଲିଭେଟେଡ୍ ରାଜପଥରେ ଯାତ୍ରା କରୁଥିବା ଗାଡ଼ି ଚାଳକମାନେ ଟୋଲ୍ ଶୁଳ୍କରେ ଉଲ୍ଲେଖନୀୟ ରାହତ ପାଇବେ।
