ଏଣିକି ପ୍ୟାକେଟ୍ ଖାଦ୍ୟ କିଣିବା ପୂର୍ବରୁ ସତର୍କ ହୋଇପାରିବେ ଗ୍ରାହକ। କେଉଁ ଖାଦ୍ୟରେ ଅଧିକ ଚିନି, ଲୁଣ ଓ ଚର୍ବି ରହିଛି, ତାହା ପ୍ୟାକେଟ୍ ଦେଖି ସହଜରେ ଜାଣିପାରିବେ। ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ନିର୍ଦ୍ଧାରିତ ସୀମାଠାରୁ ଅଧିକ ଚିନି, ଲୁଣ କିମ୍ବା ଚର୍ବି ଥିବା ଖାଦ୍ୟ ପଦାର୍ଥର ପ୍ୟାକେଟ୍ର ସମ୍ମୁଖ ଭାଗରେ ସ୍ପଷ୍ଟ ଚେତାବନୀ ସଙ୍କେତ ରଖିବାକୁ କୁହାଯାଇଛି। ବିଚାରପତି ଜେ.ବି. ପାରଦିୱାଲା ଓ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ FSSAIକୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଚେତାବନୀ ସଙ୍କେତ ଲାଲ୍ ରଙ୍ଗର ଓ ଷଡ଼କୋଣ ଆକୃତିର ହେବ। ଏଥିରେ ଆବଶ୍ୟକ ସୂଚନା ସହ ଚିତ୍ର ମଧ୍ୟ ରହିବ। ଯଦି କୌଣସି ଖାଦ୍ୟରେ ଚିନି, ଲୁଣ ଓ ଚର୍ବି ତିନୋଟି ଯାକ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥାଏ, ତେବେ ପ୍ୟାକେଟ୍ରେ ତିନୋଟି ପୃଥକ ଚେତାବନୀ ସଙ୍କେତ ରହିବ।
ସେହିପରି ଖାଦ୍ୟରେ ଥିବା ମୋଟ ଚିନି ଓ ସାଚୁରେଟେଡ୍ ଫ୍ୟାଟ୍ର ପରିମାଣକୁ ଆଧାର କରି ଚେତାବନୀର ସୀମା ନିର୍ଦ୍ଧାରଣ କରିବାକୁ FSSAIକୁ କୁହାଯାଇଛି। ଏଥିପାଇଁ ବୈଜ୍ଞାନିକ ତଥ୍ୟ ଓ ଗବେଷଣାକୁ ପ୍ରାଧାନ୍ୟ ଦେବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।
ପ୍ୟାକେଟ୍ର ସମ୍ମୁଖ ଭାଗର ପ୍ରାୟ ୪ରୁ ୫ ପ୍ରତିଶତ ସ୍ଥାନ ଚେତାବନୀ ସଙ୍କେତ ପାଇଁ ରଖିବାକୁ କୁହାଯାଇଛି। ସଙ୍କେତରେ ଥିବା ଲେଖା ଯେପରି ଗ୍ରାହକମାନେ ସହଜରେ ପଢ଼ିପାରିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଏଥିସହ ୨୦୨୦ ମସିହାର ଖାଦ୍ୟ ସୁରକ୍ଷା ଓ ଲେବଲିଂ ନିୟମକୁ ସଠିକ୍ ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି।
ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଖାଦ୍ୟ କିଣିବା ସମୟରେ ଗ୍ରାହକମାନେ ଅଧିକ ସଚେତନ ହେବା ସହ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଖାଦ୍ୟ ବାଛିପାରିବେ। ଖାଦ୍ୟ ସୁରକ୍ଷା ଓ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହୋଇପାରେ।
