Home » Blog » ମହିଳା ଫୁଟବଲ୍ ବିଶ୍ୱକପ୍‌ରେ ନୂଆ ଅଧ୍ୟାୟ, ୨୦୩୧ ଓ ୨୦୩୫ରେ ୪ ଲେଖାଏଁ ଦେଶରେ ହେବ ଆୟୋଜନ

ମହିଳା ଫୁଟବଲ୍ ବିଶ୍ୱକପ୍‌ରେ ନୂଆ ଅଧ୍ୟାୟ, ୨୦୩୧ ଓ ୨୦୩୫ରେ ୪ ଲେଖାଏଁ ଦେଶରେ ହେବ ଆୟୋଜନ

by Sunita Jena
0 comments

ଫିଫା ମହିଳା ବିଶ୍ୱକପ୍‌ର ଆଗାମୀ ଦୁଇଟି ସଂସ୍କରଣକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୦୩୧ ଏବଂ ୨୦୩୫ ବିଶ୍ୱକପ୍‌ ଆୟୋଜନ ପାଇଁ ଚାରିଟି ଲେଖାଏଁ ଦେଶକୁ ଦାୟିତ୍ୱ ମିଳିଛି। ଫିଫା ପରିଚାଳନା ପରିଷଦର ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି।

୨୦୩୧ ବିଶ୍ୱକପ୍‌ ଆମେରିକା, ମେକ୍ସିକୋ, କୋଷ୍ଟାରିକା ଓ ଜାମାଇକାରେ ମିଳିତ ଭାବେ ଆୟୋଜିତ ହେବ। ଅନ୍ୟପଟେ ୨୦୩୫ ସଂସ୍କରଣ ଇଂଲଣ୍ଡ, ନର୍ଦନ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଭୟ ଆୟୋଜନ ପ୍ରସ୍ତାବରେ ଅନ୍ୟ କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ନିଷ୍ପତ୍ତି ସର୍ବସମ୍ମତିରେ ଗୃହୀତ ହୋଇଛି।

ଏହି ବିଶ୍ୱକପ୍‌ରେ ଆଉ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ। ୨୦୩୧ରୁ ପ୍ରଥମ ଥର ପାଇଁ ୪୮ଟି ଦଳ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇବେ। ଦଳଗୁଡ଼ିକୁ ୧୨ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ ଏବଂ ପ୍ରତି ଗ୍ରୁପ୍‌ରେ ଚାରିଟି ଲେଖାଏଁ ଟିମ୍‌ ରହିବେ। ଗ୍ରୁପ୍‌ ପର୍ଯ୍ୟାୟ ପରେ ୩୨ଟି ଦଳ ନକ୍‌ଆଉଟ୍‌ ରାଉଣ୍ଡକୁ ଉନ୍ନୀତ ହେବେ। ୨୦୩୫ ବିଶ୍ୱକପ୍‌ରେ ମଧ୍ୟ ଏହି ଫର୍ମାଟ୍‌ ଜାରି ରହିବ।

ସେପଟେ ମହିଳା ଫୁଟବଲ୍‌ର ଏହି ମହାକୁମ୍ଭର ଦଶମ ସଂସ୍କରଣ ୨୦୨୭ ମସିହା ଜୁନ୍‌ ୨୪ରୁ ଜୁଲାଇ ୨୫ ମଧ୍ୟରେ ବ୍ରାଜିଲରେ ଅନୁଷ୍ଠିତ ହେବ। ଆଗାମୀ ଦିନରେ ଅଧିକ ଦଳର ଅଂଶଗ୍ରହଣ ମହିଳା ଫୁଟବଲ୍‌ର ଲୋକପ୍ରିୟତା ଓ ବିଶ୍ୱବ୍ୟାପୀ ବିସ୍ତାରକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

You may also like

Leave a Comment