ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍ ଫୋର୍ସ
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଯୋଜନା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ମୋଟ ୪୮ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ଏହାସହ ୬ ଜଣ ଡିସିପି, ୮ ଜଣ ଅତିରିକ୍ତ ଡିସିପି, ୨୭ ଜଣ ଏସିପି, ୫୫ ଜଣ ଇନ୍ସପେକ୍ଟର ଏବଂ ୧୭୦ ଜଣ ଏସ୍ଆଇ ଓ ଏଏସ୍ଆଇ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରାଷ୍ଟ୍ରପତିଙ୍କ ଯାତାୟାତ ସମୟରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ରୁଟ୍ ଓ ଟ୍ରାଫିକ୍ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ରାଷ୍ଟ୍ରପତିଙ୍କ ହାତରେ ଉଦ୍ଘାଟିତ ହେବ ଐତିହାସିକ ବାଲିଯାତ୍ରା
ଏହି ଗସ୍ତର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଉତ୍ସବର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମହୋତ୍ସବର ଶୁଭାରମ୍ଭ କରିବେ। ଏଥିପାଇଁ ତାଙ୍କ ଯାତାୟାତ ନିମନ୍ତେ ସ୍ୱତନ୍ତ୍ର କାର୍କେଡ୍ ଓ ସୁରକ୍ଷା ବ୍ୟବସ୍ଥା ରହିବ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କଟକର ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଯୋଗଦେବେ। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ବାଲିଯାତ୍ରାର ଶୁଭାରମ୍ଭ ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିବ ବୋଲି ଆଶା କରାଯାଉଛି।
ବାଲିଯାତ୍ରାରେ ୨ ହଜାରରୁ ଅଧିକ ଷ୍ଟଲ୍
ଚଳିତ ବର୍ଷ ବାଲିଯାତ୍ରାର ଆୟୋଜନକୁ ଆହୁରି ବ୍ୟାପକ କରାଯାଇଛି। ତଳ ଓ ଉପର ପଡ଼ିଆ ଉଭୟ ସ୍ଥାନରେ ମେଳା ଆୟୋଜନ ହେଉଥିବାରୁ ଷ୍ଟଲ୍ ସଂଖ୍ୟା ମଧ୍ୟ ବଢ଼ିଛି। ଏଥର ୨ ହଜାରରୁ ଅଧିକ ଷ୍ଟଲ୍ ଖୋଲିବାକୁ ଯୋଜନା ରହିଛି। ହସ୍ତତନ୍ତ, ହସ୍ତଶିଳ୍ପ, ଓରମାସ୍ ସାମଗ୍ରୀ ସହ ଓଡ଼ିଆ ଖାଦ୍ୟର ବିଭିନ୍ନ ଷ୍ଟଲ୍ ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରିବ। ବିଶେଷକରି କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍, ଠୁଙ୍କାପୁରୀ ଭଳି ଖାଦ୍ୟର ମଜା ନେଇପାରିବେ ମେଳାକୁ ଆସୁଥିବା ଲୋକେ।
ଏହାସହ ଭିନ୍ନ ଭିନ୍ନ ପ୍ରକାରର ଦୋଳି ଓ ମନୋରଞ୍ଜନର ବ୍ୟବସ୍ଥା ମଧ୍ୟ ରହିଛି। ଟାଇଟାନିକ୍ ଜାହାଜର ପ୍ରତିକୃତି, ଜାପାନ ସିଟି ଓ ଭେନିସ୍ ସିଟି ଭଳି ଆକର୍ଷଣୀୟ ସାଜସଜ୍ଜା ଦର୍ଶକଙ୍କ ପାଇଁ ନୂଆ ଅନୁଭୂତି ଆଣିବ। ସେହିପରି ବାଲି ଓ କଳିଙ୍ଗ ମଧ୍ୟରେ ରହିଥିବା ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କକୁ ଆଧାର କରି ପ୍ରସ୍ତୁତ ‘କଟକ ଇନ୍ କଟକ’ ମଧ୍ୟ ଏଥରର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ।
ଷ୍ଟାର୍ ନାଇଟ୍ରେ ଜମିବ ସଙ୍ଗୀତର ଆସର
ବାଲିଯାତ୍ରାର ସାଂସ୍କୃତିକ ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଲିଉଡ୍ ଓ ଓଲିଉଡ୍ର କଣ୍ଠଶିଳ୍ପୀଙ୍କୁ ନେଇ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି। ପାପନ୍ ଓ ଅମିତ ମିଶ୍ରଙ୍କ ଷ୍ଟାର୍ ନାଇଟ୍ ଏଥରର ପ୍ରମୁଖ ଆକର୍ଷଣ ପାଲଟିବ। ସଙ୍ଗୀତ, ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣରେ ମୁଖରିତ ହେବ ବାଲିଯାତ୍ରା ପଡ଼ିଆ।
ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍ ଫୋର୍ସ
ବାଲିଯାତ୍ରାକୁ ପ୍ରତିଦିନ ବହୁ ସଂଖ୍ୟାରେ ଦର୍ଶକ ଆସିବାର ସମ୍ଭାବନା ଥିବାରୁ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିପାଇଁ କଟକରେ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଯାତାୟାତ ନିୟନ୍ତ୍ରଣ, ଦର୍ଶକଙ୍କ ସୁରକ୍ଷା ଓ ମେଳା ପରିସରରେ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
୨୫ ତାରିଖରେ ହୋମିଓପାଥି ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି
ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ୨୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହୋମିଓପାଥି ସମ୍ପର୍କିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସହ ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରହିଛି।
ସାମଗ୍ରିକ ଭାବେ ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ରାଜଧାନୀଠାରୁ କଟକ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ହୋଇଛି। ବିଶେଷକରି କଟକର ଐତିହାସିକ ବାଲିଯାତ୍ରାର ଉଦ୍ଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କ ଯୋଗଦାନକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି।
