ବିଡିଓଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ମଧ୍ୟରେ ବାଙ୍କୀ ଓ ଡମପଡ଼ା ବ୍ଲକ୍ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଭୟ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ BNS ଧାରା ୧୬୩ ଜାରି କରାଯାଇଛି।ବିଡିଓଙ୍କ ବିରୋଧରେ ବିଭିନ୍ନ ଅଭିଯୋଗକୁ ନେଇ ଦୁଇ ଦିନ ତଳେ ବିଜେପିର ଶତାଧିକ କର୍ମୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜନସାଧାରଣଙ୍କ ସମସ୍ୟା ଶୁଣାଯାଉନଥିବା ଏବଂ ପ୍ରଶାସନିକ କାର୍ଯ୍ୟକୁ ନେଇ ଅସନ୍ତୋଷ ଥିବା ଅଭିଯୋଗ କରି ପୁଣିଥରେ ଆନ୍ଦୋଳନ କରିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ହୋଇଥିଲା।
ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଉତ୍ତେଜନା ଓ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ବାଙ୍କୀ ଉପଜିଲ୍ଲାପାଳଙ୍କ ପକ୍ଷରୁ BNS ୧୬୩ ଧାରା ଲାଗୁ କରାଯାଇଛି।ଉଭୟ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ପୋଲିସ ଓ ପ୍ରଶାସନ ନଜର ରଖିଛନ୍ତି।ତେବେ ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ସୂଚନା ମିଳିଛି। ଆଗାମୀ ସମୟରେ ପରିସ୍ଥିତି କିପରି ରହୁଛି, ଏବଂ ବିଜେପି ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟକ୍ରମ କଣ ରହୁଛି, ତା’ ଉପରେ ଏବେ ନଜର।
