ରାଜ୍ୟର ମନ୍ଦିର, ମଠ ଓ ଅନ୍ୟାନ୍ୟ ହିନ୍ଦୁ ଧାର୍ମିକ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ସମୟୋପଯୋଗୀ କରିବା ପାଇଁ ଦେବୋତ୍ତର ଆଇନରେ ସଂଶୋଧନ ଆଣିବା ନେଇ ଆଲୋଚନା ହୋଇଛି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୧୯୫୧ ମସିହାର ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନର ବିଭିନ୍ନ ଧାରା ଓ ଉପଧାରାର ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ ଅପ୍ରାସଙ୍ଗିକ ବ୍ୟବସ୍ଥାଗୁଡ଼ିକରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, ଆଇନରେ ଆବଶ୍ୟକ ସଂଶୋଧନ ହେଲେ ଧାର୍ମିକ ଅନୁଷ୍ଠାନଗୁଡ଼ିକର ପ୍ରଶାସନିକ ପରିଚାଳନା ସହ ଆର୍ଥିକ ବ୍ୟବସ୍ଥା ମଧ୍ୟ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ ହୋଇପାରିବ। ବିଶେଷକରି ପୁରାତନ ମନ୍ଦିର ଓ ମଠଗୁଡ଼ିକର ପରିଚାଳନାରେ ଥିବା ବିଭିନ୍ନ ବ୍ୟବହାରିକ ସମସ୍ୟାର ସମାଧାନ ପାଇଁ ନୂଆ ବ୍ୟବସ୍ଥା କରିବା ନେଇ ବିଚାରବିମର୍ଶ ହୋଇଛି।ଏହା ସହିତ ଦେବୋତ୍ତର କମିସନର, ଅତିରିକ୍ତ କମିସନର ଓ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦାୟିତ୍ୱ ଓ କ୍ଷମତାକୁ ଅଧିକ ସ୍ପଷ୍ଟ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଦେବୋତ୍ତର ବିଭାଗର କ୍ୟାଡର ପୁନର୍ଗଠନ ସହ ଆବଶ୍ୟକ ନୂଆ ପଦବୀ ସୃଷ୍ଟି କରିବା ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇଥିଲା।
ବୈଠକରେ ଆଇନ କମିସନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିସନର ସତ୍ୟ ନାରାୟଣ ଷଡ଼ଙ୍ଗୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ।ପ୍ରସ୍ତାବିତ ସଂଶୋଧନ ଆଗକୁ ବଢ଼ିଲେ ରାଜ୍ୟର ମନ୍ଦିର ଓ ମଠଗୁଡ଼ିକର ପରିଚାଳନା ବ୍ୟବସ୍ଥାରେ ନୂଆ ଦିଗ ଖୋଲିବା ସହ ଦେବୋତ୍ତର ସମ୍ପତ୍ତିର ସୁପରିଚାଳନା ଓ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଦକ୍ଷତା ବଢ଼ିବା ଆଶା କରାଯାଉଛି।
