ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ବଢ଼ିଛି। ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସରେ ନିର୍ବାଚନ ହେଉଥିବାରୁ ବିଭିନ୍ନ ଛାତ୍ର ସଂଗଠନ ନିଜ ସମର୍ଥନ ବଢ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ଆଜି ନାମାଙ୍କନ, ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ତାଲିକା
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ପ୍ରାର୍ଥୀମାନେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ। ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ ହେବ। ଏହାପରେ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।
ଆସନ୍ତାକାଲି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
୧୩ ବିଶ୍ୱବିଦ୍ୟାଳୟ ଓ ୩୨୮ କଲେଜରେ ସିଧାସଳଖ ନିର୍ବାଚନ
ସୂଚନା ଅନୁସାରେ, ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି କଲେଜରେ ସିଧାସଳଖ ଛାତ୍ର ସଂସଦ ନିର୍ବାଚନ ହେବ। ଅନ୍ୟ ୨୦୫ଟି ଶିକ୍ଷାନୁଷ୍ଠାନରେ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ପ୍ରତିନିଧି ବଛାଯିବେ।
ଅକ୍ଟୋବର ୧୪ ତାରିଖରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ବୈଠକ ହେବ। ଏଥିରେ ପ୍ରାର୍ଥୀମାନେ ନିଜର ମତ ଓ ନିର୍ବାଚନରେ ଠିଆ ହେବାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ଆଗରେ ରଖିପାରିବେ।
ଅକ୍ଟୋବର ୧୫ରେ ଭୋଟ୍, ପରଦିନ ଶପଥ ଗ୍ରହଣ
ଅକ୍ଟୋବର ୧୫ ତାରିଖ ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ସେହିଦିନ ଅପରାହ୍ନ ୨ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ଓଡ଼ିଶାରେ ଶେଷ ଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ ଫେରୁଥିବାରୁ କ୍ୟାମ୍ପସଗୁଡ଼ିକରେ ରାଜନୈତିକ ଓ ଛାତ୍ର ସଂଗଠନଗୁଡ଼ିକର ତତ୍ପରତା ବଢ଼ିଛି।
