Home FeaturedMMDR ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ, ସରକାରକୁ ଟାର୍ଗେଟ୍ କଲେ ସୁଜାତା

MMDR ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ, ସରକାରକୁ ଟାର୍ଗେଟ୍ କଲେ ସୁଜାତା

by Lokanath Panigrahi
0 comments

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ବିଜେଡିର ଆନ୍ଦୋଳନ ଜୋରଦାର ହୋଇଛି। ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ବିଶାଳ ବିକ୍ଷୋଭରେ ବିଜେଡି ନେତ୍ରୀ ସୁଜାତା କାର୍ତ୍ତିକେୟନ ଯୋଗଦେଇ ସଂଶୋଧିତ ଆଇନ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଜେଡିରେ ଯୋଗଦେବା ପରେ ଦଳୀୟ ମଞ୍ଚରେ ସୁଜାତାଙ୍କ ଏହା ପ୍ରମୁଖ ସାର୍ବଜନୀନ ଉପସ୍ଥିତି ଥିଲା। ନିଜ ଭାଷଣରେ ସେ MMDR ସଂଶୋଧନକୁ ନେଇ ବିଜେପି ପକ୍ଷରୁ ଦିଆଯାଉଥିବା ଯୁକ୍ତିର ଜବାବ ରଖିବା ସହ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ସ୍ୱାର୍ଥ ପ୍ରସଙ୍ଗ ଉଠାଇଥିଲେ।

୨୦୧୫ର ଖଣି ଆଇନ ପରେ ଓଡ଼ିଶାର ମାଇନିଂ ରୟାଲଟି ବୃଦ୍ଧି ପାଇଥିବା ବିଜେପି ସାଂସଦମାନଙ୍କ ଦାବିକୁ ସୁଜାତା ଖଣ୍ଡନ କରିଥିବା ଦଳ ପକ୍ଷରୁ କୁହାଯାଇଛି। ତାଙ୍କ ଯୁକ୍ତି ଥିଲା, ଯଦି କେବଳ କେନ୍ଦ୍ରୀୟ ଆଇନ ପରିବର୍ତ୍ତନ ଯୋଗୁଁ ରୟାଲଟି ବଢ଼ିଥିଲା, ତେବେ ଅନ୍ୟ ଖଣି ସମୃଦ୍ଧ ରାଜ୍ୟଗୁଡ଼ିକରେ ସମାନ ପ୍ରଭାବ କାହିଁକି ଦେଖାଯାଇନଥିଲା।

ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ପଛରେ ପୂର୍ବତନ ସରକାରଙ୍କ ନୀତି ଓ ପ୍ରଶାସନିକ ପଦକ୍ଷେପର ଭୂମିକା ରହିଥିବା ମଧ୍ୟ ସୁଜାତା ଦାବି କରିଛନ୍ତି। ଏହାସହ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଥିଲେ।

ଭାଷଣରେ ସୁଜାତା ରାଜ୍ୟର ଖଣିଜ ସମ୍ପଦ ଓ ଆର୍ଥିକ ଅଧିକାରକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। MMDR ସଂଶୋଧନ ଦ୍ୱାରା ଓଡ଼ିଶାର ଆର୍ଥିକ ସ୍ୱାର୍ଥ ପ୍ରଭାବିତ ହୋଇପାରେ ବୋଲି ବିଜେଡି ଯେଉଁ ଅଭିଯୋଗ କରୁଛି, ସେହି ପ୍ରସଙ୍ଗକୁ ସେ ମଞ୍ଚରୁ ଉଠାଇଥିଲେ।

ଏହାସହ କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃତ୍ୱର ରାଜନୈତିକ ଆଭିମୁଖ୍ୟକୁ ନେଇ ମଧ୍ୟ ସୁଜାତା ମତ ରଖିଥିଲେ। ବିଜେଡି ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେଇ ରାଜନୀତି କରୁଛି ବୋଲି ସେ କହିଥିଲେ।

ବିଜେଡିର ଅଭିଯୋଗ ଅନୁସାରେ, MMDR ସଂଶୋଧନ ରାଜ୍ୟର ଖଣିଜ ସମ୍ପଦ, ରାଜସ୍ୱ ଏବଂ ଆର୍ଥିକ ଅଧିକାର ଉପରେ ପ୍ରଭାବ ପକାଇପାରେ। ତେଣୁ ଏହି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଲୋୟର ପିଏମଜିର ଏହି ବିକ୍ଷୋଭରେ ବିଜେଡିର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। MMDR ପ୍ରସଙ୍ଗକୁ ନେଇ ବିଧାନସଭାଠାରୁ ରାଜରାସ୍ତା ପର୍ଯ୍ୟନ୍ତ ବିରୋଧୀ ଦଳର ଆନ୍ଦୋଳନ ଜାରି ରହିଥିବାରୁ ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଆହୁରି ଚର୍ଚ୍ଚାରେ ରହିଛି।

You may also like

Leave a Comment