Home Nationalଟେଲିଗ୍ରାମ୍‌କୁ କିଛି ସମୟ ପାଇଁ App Storeରୁ ହଟାଇଲା Apple

ଟେଲିଗ୍ରାମ୍‌କୁ କିଛି ସମୟ ପାଇଁ App Storeରୁ ହଟାଇଲା Apple

by Shubham Kumar
0 comments

ଶିଶୁ ଯୌନ ନିର୍ଯାତନା ସମ୍ବନ୍ଧୀୟ ସାମଗ୍ରୀ ମିଳିବା ପରେ କାର୍ଯ୍ୟାନୁଷ୍ଠାନ, ଆପତ୍ତିଜନକ କଣ୍ଟେଣ୍ଟ ହଟିବା ପରେ ପୁଣି ଫେରିଲା ଆପ୍

ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମ୍‌କୁ Apple କିଛି ସମୟ ପାଇଁ ବିଶ୍ୱବ୍ୟାପୀ App Storeରୁ ହଟାଇ ଦେଇଥିଲା। Apple ପକ୍ଷରୁ କୁହାଯାଇଛି ଯେ, ଜଣେ ବ୍ୟବହାରକାରୀ ଶିଶୁ ଯୌନ ନିର୍ଯାତନା ସମ୍ବନ୍ଧୀୟ ଆପତ୍ତିଜନକ ସାମଗ୍ରୀ (Child Sexual Abuse Material-CSAM) ସେୟାର କରିଥିବାରୁ ଏହି ପଦକ୍ଷେପ ନିଆଯାଇଥିଲା। ପରେ ଟେଲିଗ୍ରାମ୍ ସମ୍ପୃକ୍ତ କଣ୍ଟେଣ୍ଟକୁ ହଟାଇବା ସହ ଉକ୍ତ ୟୁଜରଙ୍କୁ ବ୍ୟାନ୍ କରିବା ପରେ ଆପ୍‌ଟିକୁ ସେହି ଦିନ ପୁଣି App Storeରେ ଉପଲବ୍ଧ କରାଯାଇଥିଲା।

Appleର ଜଣେ ପ୍ରବକ୍ତା କହିଛନ୍ତି, App Store ନିୟମ ଉଲ୍ଲଂଘନ କରୁଥିବା କଣ୍ଟେଣ୍ଟ ଚିହ୍ନଟ ହେବା ପରେ ଟେଲିଗ୍ରାମ୍‌କୁ ସାମୟିକ ଭାବେ ହଟାଯାଇଥିଲା। ଟେଲିଗ୍ରାମ୍ ତୁରନ୍ତ ପଦକ୍ଷେପ ନେଇ ଆପତ୍ତିଜନକ ସାମଗ୍ରୀ ହଟାଇବା ସହ ଦାୟୀ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବନ୍ଦ କରିଥିଲା। ଏହାପରେ ଆପ୍‌ଟିକୁ ପୁନଃସ୍ଥାପନ କରାଯାଇଥିଲା।

ଏହା ପ୍ରଥମ ଘଟଣା ନୁହେଁ। ୨୦୧୮ ମସିହାରେ ମଧ୍ୟ Apple, ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଟେଲିଗ୍ରାମ୍‌କୁ App Storeରୁ ହଟାଇଥିଲା। ପରବର୍ତ୍ତୀ ସମୟରେ ଟେଲିଗ୍ରାମ୍ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରିବା ପରେ ଆପ୍‌ଟିକୁ ପୁଣି ଅନୁମତି ମିଳିଥିଲା।

୧ ବିଲିୟନ୍‌ରୁ ଅଧିକ ମାସିକ ସକ୍ରିୟ ବ୍ୟବହାରକାରୀ ଥିବା ଟେଲିଗ୍ରାମ୍ କହିଛି ଯେ, ଶିଶୁ ଯୌନ ନିର୍ଯାତନା ସମ୍ବନ୍ଧୀୟ କଣ୍ଟେଣ୍ଟ ପ୍ରତି ସେମାନଙ୍କର ‘ଜିରୋ ଟଲେରାନ୍ସ’ ନୀତି ରହିଛି। ଚଳିତ ବର୍ଷ ଏପରି କଣ୍ଟେଣ୍ଟ ସହ ଜଡ଼ିତ ପ୍ରାୟ ୩.୩୮ ଲକ୍ଷ ଗ୍ରୁପ୍ ଓ ଚ୍ୟାନେଲ୍ ବନ୍ଦ କରାଯାଇଥିବା ଦାବି କରିଛି କମ୍ପାନୀ।

ଏହି ଘଟଣା ପରେ ଟେଲିଗ୍ରାମ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ Appleକୁ ଟ୍ୟାଗ୍ କରି ପ୍ରଶ୍ନ କରିଛି ଯେ, ଏଭଳି ନିୟମ ସମସ୍ତ ଆପ୍‌ ଉପରେ ସମାନ ଭାବେ ଲାଗୁ କରାଯିବ କି? ଅନ୍ୟପଟେ Epic Gamesର CEO ଟିମ୍ ସ୍ୱିନି ମଧ୍ୟ Appleର ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯଦି ଜଣେ ୟୁଜରଙ୍କ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଆପ୍‌କୁ ହଟାଯାଏ, ତେବେ ବଡ଼ ବଡ଼ ଯୋଗାଯୋଗ ପ୍ଲାଟଫର୍ମ ପରିଚାଳନା କରିବା କଷ୍ଟକର ହୋଇପଡ଼ିବ।

ଟେଲିଗ୍ରାମ୍‌ର କଣ୍ଟେଣ୍ଟ ନିୟନ୍ତ୍ରଣକୁ ନେଇ ବ୍ରିଟେନ୍‌ର Ofcom ଓ ଅଷ୍ଟ୍ରେଲିଆର ଅନଲାଇନ୍ ସେଫ୍ଟି ନିୟାମକ ସଂସ୍ଥା ମଧ୍ୟ ନିକଟ ଅତୀତରେ ତଦନ୍ତ ଓ ଜରିମାନା ଭଳି ପଦକ୍ଷେପ ନେଇଥିଲେ।

You may also like

Leave a Comment